ଓଡ଼ିଶା 365 (ବ୍ୟୁରୋ) : ମଉଳିଛି ପାକିସ୍ତାନର ବିଶ୍ୱକପ୍ ଆଶା। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ସଂଘର୍ଷ କରି ଶେଷରେ ୧ୱିକେଟ୍ରେ ହାରିଛି ପାକିସ୍ତାନ। ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଖେଳିବାର ସ୍ୱପ୍ନ ଧୁଳିସାତ ହୋଇଛି। ବାଜି ଜିତିଛି ଦକ୍ଷିଣ ଆଫ୍ରିକା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୦ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ହରାଇ ୪୭.୨ ଓଭରରେ ଟାର୍ଗେଟ୍ ହାସଲ କରିନେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। କେଶବ ମହାରାଜ ଚୌକା ମାରି ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ବିଜୟର ହିରୋ ପାଲଟିଛନ୍ତି ଏଡେନ୍ ମାର୍କରମ ସେ ୯୧ ରନର ପାରି ଖେଳିଥିଲେ। ନେଦରଲ୍ୟାଣ୍ଡ ଠାରୁ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହାରିଥିବା ବେଳେ ବାକି ୫ଟି ମ୍ୟାଚ୍ ଜିତିଛି।
ପାକିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି। ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପରେ ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଥିଲେ। ସବୁଥର ପାକିସ୍ତାନ ହିଁ ବାଜି ମାରି ଥିଲା। କିନ୍ତୁ ୭ମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବିଶ୍ୱକପରେ ପାକିସ୍ତାନର ଏହା କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି । ପୂର୍ବ ମ୍ୟାଚରେ ଆଫଗାନିସ୍ତାନ ଠାରୁ ହାରିଥିଲା ବାବରବାହିନୀ। ବର୍ତମାନ ପାକ୍ ଟିମ୍ ୨ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସେମିଫାଇନାଲ୍ ଯିବା ପାଇଁ ପାକିସ୍ତାନକୁ ବାକି ସବୁ ମ୍ୟାଚ୍ ଜିତିବା ସହ ଅନ୍ୟ ଟିମର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ ।