ଓଡ଼ିଶା 365 (ବ୍ୟୁରୋ): ଭାରତ ୬ଜି ଟେକ୍ନୋଲୋଜିର ନେବାକୁ ଯାଉଛି ନେତୃତ୍ୱ । ଭାରତ ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆରେ ସଫଳତା ହାସଲ କରିଛି । ଆଗକୁ ବିଶ୍ୱରେ ୬ଜିର ନେତୃତ୍ୱ ନେବ ଭାରତ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୫ଜି ଟେକ୍ନୋଲୋଜି ସଫଳତା ପାଇଥିବା ବେଳେ ଏବେ ଦେଶ ୬ଜି ଟେକ୍ନୋଲୋଜି ଉପରେ କାମ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଉଦ୍ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଏବେ ଡିଜିଟାଲ ଇଣ୍ଡିଆକୁ ଆହ୍ନାନ ରୂପେ ଗ୍ରହଣ କରି ବୈଷୟିକ ଜ୍ଞାନ ଦ୍ୱାରା ବିକାଶ କରିବାକୁ, ଏକ ଆହ୍ନାନ ରୂପେ ଗ୍ରହଣ କରିଛି । ମୋଦି କହିଛନ୍ତି କମ ଦିନ ଭିତରେ ଭାରତ ସଂପୂର୍ଣ୍ଣ ରୂପେ ସାରା ଦେଶରେ ୫ଜି ସମ୍ପ୍ରସାରଣ କରି ବିଶ୍ୱରେ ରେକର୍ଡ କରିଛି ।
୬ଜି ଟେକ୍ନଲୋଜିରେ ଆଗାମୀ ଦିନରେ ଭାରତ ବିଶ୍ୱରେ ନେତୃତ୍ବ ନେବାକୁ ଯାଉଛି । ୫ଜି ଟେକ୍ନୋଲୋଜି ଦେଶରେ ଆରମ୍ଭ ହେବା ବେଳେ ବିରୋଧୀମାନେ ଏହାକୁ ନେଇ ଉପହାସ କରିଥିଲେ । କିନ୍ତୁ ଭାରତ ବିକାଶରେ ନୂତନ ଟେକ୍ନୋଲୋଜି କିପରି ସହାୟତ ହୋଇଛି ତାହା ଏବେ ସମସ୍ତେ ଅନୁଭବ କରୁଛନ୍ତି । ଭାରତ ବିଶ୍ୱକୁ ଦେଖାଇଛି କିଭଳି ଅଳ୍ପସମୟସୀମା ମଧ୍ୟରେ ଭାରତର କୋଟି କୋଟି ଲୋକ ୫ଜିକୁ ଆଦରି ନେଇଛନ୍ତି । ଏବେ ଦେଶରେ ୪ଲକ୍ଷ ୫ଜି ବେସ୍ ଷ୍ଟେସନ ସ୍ଥାପନ ହୋଇଛି । ୮୦ ପ୍ରତିଶତ ଭାରତବାସୀ ଏବେ ୫ଜିର ଲାଭ ପାଇପାରୁଛନ୍ତି । ଏକ ବର୍ଷ ମଧ୍ୟରେ ମଧ୍ୟମ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ର ତିନି ଗୁଣ ବୃଦ୍ଧି ପାଇଛି। ଭାରତ ଏବେ ବ୍ରଡବ୍ୟାଣ୍ଡ ଗତି ଦୃଷ୍ଟିରୁ ୧୧୮ ତମ ସ୍ଥାନରୁ ୪୩ ତମ ସ୍ଥାନକୁ ଉନ୍ନୀତ ହୋଇଛି।
୨୦୧୪ ରେ ଭାରତ ମୋବାଇଲ ଆମଦାନୀକାରୀ ରାଷ୍ଟ୍ର ଥିଲା ଆଜି ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନକାରୀ ଦେଶ ହୋଇଛି । ଭାରତ ମଧ୍ୟ ୨ ଟ୍ରିଲିୟନ ଟଙ୍କା ମୂଲ୍ୟର ମୋବାଇଲ ସାମଗ୍ରୀ ଉତ୍ପାଦନ କରୁଛି। ଭାରତରେ ପିକ୍ସେଲ ଫୋନ୍ ଉତ୍ପାଦନ କରିବାକୁ ଗୁଗୁଲ ନିକଟରେ ଘୋଷଣା କରିଛି । ସାମସଙ୍ଗ ତାର ମୋବାଇଲ ଭାରତରେ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଆପଲ୍ ଆଇଫୋନ୍ ୧୫ ଏଠାରେ ଉତ୍ପାଦନ କରିବାକୁ ଯାଉଛି । ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସରେ ସଫଳତାକୁ ଆଗକୁ ନେବା ଏବଂ ଦେଶରେ ଶକ୍ତିଶାଳୀ ସେମିକଣ୍ଡକ୍ଟର ଉତ୍ପାଦନ ଭାରତ କରିବାକୁ ଯାଉଛି । ଦେଶରେ ସେମିକଣ୍ଡକ୍ଟରର ବିକାଶ ପାଇଁ ୮୦,୦୦୦ କୋଟି ଟଙ୍କା ମୂଲ୍ୟର ଏକ ଯୋଜନା ପ୍ରସ୍ତୁତ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଟେଲିକମ୍ ଟେକ୍ନୋଲୋଜିର ଭୂମିକା ଭାରତରେ ବୃଦ୍ଧି ପାଇଛି । ଭାରତର ୨ ଲକ୍ଷ ଗ୍ରାମ ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ଯୋଡି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ