ଓଡ଼ିଶା 365 (ବ୍ୟୁରୋ): ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥି। ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ବିଜେ ହୋଇ ଚଉଦୋଳରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିବା ପରେ ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି କରାଯିବ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ। ଏଥିପାଇଁ ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା ଉତ୍ସବ ନାମରେ ଅଭିହିତ ।
ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରର ପୁନଃ ମାଧବ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧ ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ ଟି ହିଙ୍ଗୁଳ କଉଡ଼ି , ୨୧ ଟି ରୂପା କଉଡି, ପଶା ଶକଟା ଖେଳମାନ ଖେଳିବେ । ଏହାପରେ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେଲେ ମହାପ୍ରଭୁ ସେହିପରି ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ। ତେବେ ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହେଉଛି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇ ପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।