ଓଡ଼ିଶା 365 (ବ୍ୟୁରୋ): ଆଜି ସାରା ଦେଶରେ ଚାଲିଛି ନିଯୁକ୍ତି ମେଳା । ଦେଶର ମୋଟ୍ ୩୭ଟି ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ଯୋଗଦେବେ । ପ୍ରାୟ ୫୧ ହଜାର ନବନିଯୁକ୍ତଙ୍କୁ ଆନଲାଇନ୍ ମୋଡରେ ନିଯୁକ୍ତିପତ୍ର ପ୍ରଦାନ କରିବେ ମୋଦି । ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଉଦ୍ୟମିତା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ୧୬୦ରୁ ଉର୍ଦ୍ଧ୍ୱ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ।
ସେହିଭଳି କଟକଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଆଦିବାସୀ ବ୍ୟାପାର, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୧୧୦ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ବିଶାଖାପଟଣାଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ୮୦ରୁ ଉର୍ଦ୍ଧ୍ୱ ନବନିଯୁକ୍ତ ପାଇବେ ନିଯୁକ୍ତିପତ୍ର । ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ କର୍ମଚାରୀମାନେ ଷ୍ଟେସନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ୍ ଟିକେଟ କ୍ଲର୍କ, ଇନପେକ୍ଟର, ସବ-ଇନ୍ସପ୍ଟେକ୍ଟର, କନଷ୍ଟେବଲ, ଷ୍ଟେନୋ ଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ ଟାକ୍ସ ଇନ୍ସପେକ୍ଟର ଭଳି ବିଭିନ୍ନ ପଦପଦବୀରେ ଯୋଗ ଦେବେ । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।