ଓଡ଼ିଶା 365 (ବ୍ୟୁରୋ): ଯେତେ କହିଲେ ବି ସୁଧୁରୁନି ଆନ୍ଧ୍ରର ସ୍ୱଭାବ। କୋଟିଆକୁ ଲୁଟିବାକୁ ପୂର୍ବପ୍ରସ୍ତୁତି କ୍ରମେ ପ୍ରୀତି ରଚିବାରେ ଲାଗିପଡ଼ିଛି। ଅନୁପ୍ରବେଶ କରି କେଉଁଠି ସରକାରୀ ଯୋଜନାର ଲୋଭ ଦେଖାଉଛି ତ କେଉଁଠି ସ୍ୱାସ୍ଥ୍ୟ ସିବିର କରି ଲୋକଙ୍କୁ ଆକର୍ସିତ କରିବାକୁ ଚେଷ୍ଟା କରୁଛି । ଫାଟୁସିନେରି ପରେ ଶୁକ୍ରବାର ଧୂଳିପଦରରେ ଆୟୋଜନ କରିଛି ମେଗା ସ୍ଵାସ୍ଥ୍ୟ ଶିବିର ।
ଜଗନଆନା ଆରୋଗ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଏହି ମେଗା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ଉକ୍ତ ସ୍ଵାସ୍ଥ୍ୟ ଶିବିରରେ ଧୂଳିପଦର, ଉପରସେମ୍ବି, ତଳସେମ୍ବି, ନେରେଡିୱାଲସା, ତାଡ଼ିୱାଲ୍ସା ଆଦି ଗ୍ରାମର ଗ୍ରାମବାସୀ ଯୋଗ ଦେଇଛନ୍ତି । ଓଡିଶା ସୀମାନ୍ତ ଆନ୍ଧ୍ରର ସାଲୁର ମଣ୍ଡଳ (ବ୍ଲକ୍)ର ତନମ ସିଏଚସି ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ କରାଯାଇଅଛି । ବିଗତ ଦିନରେ ବାଇକ୍ ଆମ୍ବୁଲାନ୍ସରେ ପହଞ୍ଚି ଲୁଚିଛପି ସ୍ଵାସ୍ଥ୍ୟ ପରୀକ୍ଷା କରୁଥିଲା ଆନ୍ଧ୍ର । କିନ୍ତୁ କିଛି ଦିନଧରି ଲଗାତାର ଦୁଇ ଥର ମେଗା ସ୍ଵାସ୍ଥ୍ୟ ଶିବିର କରିଅଛି । ଉକ୍ତ କାର୍ଯ୍ୟକ୍ରମରେ ଆନ୍ଧ୍ର ରାଜ୍ୟର ଏସଟି କମିଶନର ଚେୟାରମ୍ୟାନ୍ ଡାକ୍ତର ଜିସିବି ଶଙ୍କର ରାଓ ସେଠାରେ ପହଞ୍ଚି କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି ।