ଓଡ଼ିଶା 365 (ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଉଭୟ ଅନଲାଇନ୍ ଓ ଅଫ ଲାଇନ ରେ ହୋଇପାରିବ ଆବେଦନ । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ – ୭ ରେ ନାମ ଯୋଗ ଓ ବାଦ୍ କରିହେବ । ସେହିପରି ଫର୍ମ- ୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଏ ନେଇ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି ।
୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬। ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି ୩୭ ହଜାର ୮୦୯ ରେ ପହଞ୍ଚିଛି। ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୩ ହଜାର ୯୪ ବା ୦.୯୪% ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଞ୍ଚିଛି । ଆସନ୍ତା ସାଧାରଣ ନିର୍ବାଚନ ଲାଗି EVM, VVPAT ଆସି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ସରି ଯାଇଛି । ଅନ୍ୟ ୨୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଭିତରେ ସରିବ। ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ ସ୍ତରୀୟ ଏଜେଣ୍ଟ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।
ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଥର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଚୀନ ଜନଜାତି ଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ମହିଳା ଓ ଯୁବ ଭୋଟର ଙ୍କୁ ତାଲିକାରେ ଯୋଡ଼ିବାକୁ ଅଧିକ ଫୋକସ ଦିଆଯାଇଛି । ଏବର୍ଷ ର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୨୨୪ ରୁ ୩ ହଜାର ୪୦୬ କୁ ବୃଦ୍ଧି ପାଇଛି ।