ଓଡ଼ିଶା 365 (ବ୍ୟୁରୋ): କତାରରେ ୮ ଜଣ ଭାରତୀୟ କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶକୁ ନେଇ ଜୋର ଧରିଛି ଚର୍ଚ୍ଚା । ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କତାରର ଏକ ମିଲିଟାରୀ କୋର୍ଟ । ତେବେ କେଉଁ ଦୋଷରେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ତାହା ଏପର୍ଯ୍ୟନ୍ତ ଭାରତ ସରକାରକୁ ସୂଚନା ଦିଆଯାଇନାହିଁ । ସେମାନେ କାର୍ଯ୍ୟ କରୁଥିବା କମ୍ପାନି ବିରୋଧରେ କିଛି ବେନିୟମ କାର୍ଯ୍ୟ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ସବୁଠୁ ବଡ଼ କଥା ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବା ବେଳେ କାତାରର ଏକ କୋର୍ଟ ଏପରି ରାୟ ଶୁଣାଇଛନ୍ତି ଯାହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି । କୁହାଯାଉଛି ଇସ୍ରାଏଲକୁ ଭାରତ ସମର୍ଥନ ଦେଉଥିବାରୁ ସହି ପାରୁନାହାନ୍ତି ମୁସଲିମ ଦେଶମାନେ। ଭାରତ ହାମସକୁ ଆତଙ୍କବାଦୀ ସହ ତୁଳନା କରିଛି । କିନ୍ତୁ ସେପଟେ ହମାସକୁ କାତାରର ମୁସଲିମ ସରକାର ସମର୍ଥନ କରୁଛନ୍ତି । ତେଣୁ କତାର ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି । କତାରର ମୁସଲିମ ଶାସକ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛନ୍ତି । ଭାରତକୁ ଜବାବ ଦେବାପାଇଁ କତାର ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।
ସବୁଠୁ ବଡ଼ କଥା ହେଉଛି ଭାରତକୁ ମଧ୍ୟ ଏନେଇ ଅନ୍ଧାରରେ ରଖାଯାଇଛି । ଏମାନେ ସମସ୍ତେ କତାରର ଅଲ ଦାହରା କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେହି କମ୍ପାନି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇ ମାମଲା ଚାଲୁଥିଲା । କଂପାନିର ଅଭିଯୋଗ ପରେ ସେମାନଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରାଯାଇଥିଲା । ସେମାନଙ୍କ ପରିବାର ପକ୍ଷରୁ ଏନେଇ କୁହାଯାଇଛି ଯେ ଗିରଫ କରାଯିବା ପଛର କାରଣ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କୁ କତାର କର୍ତୃପକ୍ଷ ଜଣାଇନାହାନ୍ତି । ତେବେ ଇସ୍ରାଏଲ ହମାସ ଯୁଦ୍ଧ ସମୟରେ ଏକାସାଙ୍ଗରେ ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛି । ୮ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ଭାରତ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ୨୦୨୨ରେ ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀ କାତାର ସୁରକ୍ଷା ସେବା ଯୋଗାଉଥିବା ଥିବା ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ।
ସେହି ସମୟରୁ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ସୌରଭ ବଶିଷ୍ଟ, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ଚାଳକ ରାଗେସ । କତାର ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକଙ୍କୁ ଆଇନଗତ ସହାୟତା ପ୍ରଦାନ ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।