ଓଡ଼ିଶା 365 (ବ୍ୟୁରୋ): ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ମନ୍ତବ୍ୟ ଓ ଶାସନ ପଦ୍ଧତିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ଭିତରେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ଆସାମ ସରକାର ୫୮ ବର୍ଷ ପୂର୍ବେ ଏକ ନିୟମକୁ ତତ୍କାଳୀନ ପ୍ରଭାବ ପକାଇ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ବିବାହ ଉପରେ ରୋକ ଲଗାଇଛନ୍ତି। ଗୁରୁବାର ତତ୍କାଳୀନ ପ୍ରଭାବରୁ ଲାଗୁ କରାଯାଇଥିବା ଏହି ନିୟମ ଅନୁଯାୟୀ ଚେତାବନୀ ଦିଆଯାଇଛି କି, ଏହି ନିୟମ ପାଳନ କରୁ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କେବଳ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ ୧୯୬୫ରେ କରାଯାଇଥିଲା। ରାଜ୍ୟ ପର୍ସନାଲ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି, ପତ୍ନୀ-ପତି ଜୀବିତ ଥିବାବେଳେ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିପାରିବେ ନାହିଁ।
ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ଆଦେଶ ତୁରନ୍ତ କାର୍ୟ୍ୟକାରୀ ହୋଇଛି। ସରକାରୀ କର୍ମଚାରୀ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇପାରେ ବୋଲି କୁହାଯାଉଛି। ବିଜ୍ଞପ୍ତିରେ କୁହାଯାଇଛି, ଆସାମ ସିଭିଲ ସର୍ଭିସେସ (ଆଚରଣ) ଅଧିନିୟମ, ୧୯୬୫ର ନିୟମ ୨୬ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କରିବା ଉପରେ ଅନୁଶାସନାତ୍ମକ ପ୍ରାଧିକରଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିପାରିବେ। ଏହି ନିଷ୍ପତ୍ତିକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ।