ଓଡ଼ିଶା 365 (ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ୍ ବୟ ରଣବୀର କପୁର । ନିଜର ଦମଦାର ଅଭିନୟ ଜାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ରଣବୀର । ନିକଟରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କୁହାଯାଉଥିଲା କି, ରଣବୀର ନନଭେଜ୍-ଆଲକହଲ୍ ଠାରୁ ନିଜକୁ ଦୂରେଇ ରଖିବେ । ଏହି ସିନେମା ପାଇଁ ରଣବୀର ଆମିଷ ଖାଦ୍ୟ ଏବଂ ମଦ୍ୟପାନ ବର୍ଜନ କରିବେ । ସିନେମାର ସୁଟିଂ ଆରମ୍ଭ ହେବା ଦିନଠୁ ସେ ଆଉ ନନଭେଜ୍ କିମ୍ବା ଆଲକହଲ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଫିଲ୍ମ ପାଇଁ ଅନ୍ୟ କିଛି କାରଣ ପାଇଁ ରଣବୀର ଏଭଳି ନିଷ୍ପତି ନେଇଥିବା କହିଛନ୍ତି ରଣବୀର ।
ଖବର ମୁତାବକ, ନିକଟରେ ରଣବୀର କପୁର ଜୁମ୍ ଟିଭି ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଥିଲେ । ସେ ତାଙ୍କ ପତ୍ନୀ ଏବଂ ଝିଅ ରାହା କପୁରଙ୍କ ବିଷୟରେ ଅନେକ କଥା ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ଯେ ସେ ମଦ୍ୟପାନ ଏବଂ ନନ୍-ଭେଜକୁ ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। ସେ ତାଙ୍କ ଝିଅ ପାଇଁ ସୁସ୍ଥ ରହିବାକୁ ଚାହୁଁଛନ୍ତି ଏହାସହ ସେ ଯୋଗ କରନ୍ତି ଏବଂ ପ୍ରତ୍ୟେକ ଖରାପ ଅଭ୍ୟାସରୁ ନିଜକୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଝିଅ ପାଇଁ ସେ ନନ୍ ଭେଜ୍ ଏବଂ ମଦ୍ୟପାନ ଛାଡିଛନ୍ତି ବୋଲି ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ।
ସେପଟେ, ଖୁବଶୀଘ୍ର ନିର୍ମାଣ ହେବ ଚଳଚ୍ଚିତ୍ର ‘ରାମାୟଣ’ । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ମଧ୍ୟ ଶେଷ ହୋଇଛି। ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବେ, ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ । ପୂର୍ବରୁ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ନିତେଶ ତିୱାରୀ ତାଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’କୁ ଦୁଇ ଭାଗରେ କରିବାକୁ ଯୋଜନା କରୁଛନ୍ତି। ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପଲ୍ଲଭୀଙ୍କ ଉପରେ ଧ୍ୟାନ ଦିଆଯିବ।