ଓଡ଼ିଶା 365 (ବ୍ୟୁରୋ): ପୁଣି ଅଡ଼ୁଆରେ ମମତା ସରକାର । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ରାଶନ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରିଥିଲା। ଏହି ସ୍କାମର ତଦନ୍ତ ସମ୍ପର୍କରେ ଇଡି ଟିମ କୋଲକାତାର ସଲ୍ଟ ଲେକ୍ରେ ଥିବା ମଲିକଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପରେ ଇଡି ଅଧିକାରୀମାନେ ଜ୍ୟୋତିପ୍ରିୟ ମଲିକଙ୍କୁ ପଚରାଉଚରା ଆରମ୍ଭ କରିଥିଲେ, ଯାହା ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିଲା। ପରେ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା।
ଇଡି ତରଫରୁ କୁହାଯାଇଛି ଯେ, ରାଶନ ବଣ୍ଟନରେ ଦୁର୍ନୀତି ଅଭିଯୋଗରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରାଯାଇଛି। ଏଥି ସହିତ ଗିରଫ ପରେ ଯେତେବେଳେ ଇଡି ଅଧିକାରୀମାନେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ କର୍ମଚାରୀଙ୍କ ସହାୟତାରେ ମନ୍ତ୍ରୀ ମଲିକଙ୍କୁ ନେଉଥିଲେ, ସେତେବେଳେ ଗଣମାଧ୍ୟମ ବ୍ୟକ୍ତିମାନେ ତାଙ୍କ ଚାରିପାଖରେ ଏକାଠି ହୋଇଥିଲେ। ମଲିକ କହିଛନ୍ତି ଯେ, ତାଙ୍କ ସହ ଏକ ବଡ ଷଡଯନ୍ତ୍ର କରାଯାଇଛି। ଜ୍ୟୋତିପ୍ରିୟ ବର୍ତ୍ତମାନ ବନ ବିଭାଗର ରାଜ୍ୟ ମନ୍ତ୍ରୀ ଭାବରେ ପରିଚାଳନା କରୁଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ଉଠୁଛି ପଡ଼ୁଛି ।