ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏପଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହାରି ଭିତରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଗତକାଲି କୁପୱାଡ଼ା ଜିଲ୍ଲାର ମାଛିଲ୍ ସେକ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରେବଶ ପାଇଁ ଆତଙ୍କବାଦୀଙ୍କ ଏକ ବଡ଼ ଉଦ୍ୟମକୁ ବିଫଳ କରିଛି ସେନା। ଏଲଓସି ଉପରେ ସୁରକ୍ଷା ବାହିନୀର ବଡ଼ ଅପରେସନରେ ଲସ୍କର-ଏ-ତାଇବାର ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ-କାଶ୍ମୀର ପୋଲିସ କହିଛି।
ପୋଲିସ ସୂଚନା ମୁତାବକ, ଗୁରୁବାର ସକାଳେ ମାଛିଲ୍ ସେକ୍ଟରରେ ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଆଧାରରେ ସେନା ସହିତ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଯେତେବେଳେ ଆତଙ୍କବାଦୀଙ୍କୁ ସେନା ଟ୍ରାକ କରିଥିଲା, ସେହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହାପରେ ଗୁଳି ବିନିମୟ ହୋଇଥିଲା। ସେନାର ଗୁଳିରେ ପ୍ରଥମେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।