ଓଡ଼ିଶା 365 (ବ୍ୟୁରୋ): ତିନିଦିନ ହେଲାଣି ଖାଡା ଉପାସରେ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ। ମହାପ୍ରଭୁଙ୍କ ଦାନ ଜମିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ନା ହେଉଛି ନୀତିକାନ୍ତି ନା ହେଉଛି ଭୋଗଲାଗି । ତେବେ ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି । ଯଦି ସମାଧାନ ନ ବାହାରିଲା ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ଆଲୋଚନା କରି ବିବାଦ ତୁଟାଇବା ପାଇଁ ଅତିରିକ୍ତ ଦେବୋତ୍ତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ କୌଣସି ପକ୍ଷ ରାଜି ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଏଥିସହ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ କହିଛନ୍ତି ଅତିରିକ୍ତ ଦେବୋତ୍ତର କମିଶନର ।
ସୂଚନା ଥାଉ କି, ଏକ ଦୋକାନ ଘର ନିର୍ମାଣକୁ ନେଇ ବଡୁ ନିଯୋଗ ଏବଂ ବ୍ରାହ୍ମଣ,ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ଲିଙ୍ଗରାଜଙ୍କ ସେବା ବନ୍ଦ କରି ଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଏପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା ଖୋଲା ରହିଛି । ମହାପ୍ରଭୁଙ୍କୁ ଉପାସରେ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।