ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସବୁବେଳେ ରାଜନୈତିକ ପ୍ରସଙ୍ଗ ଉପରେ ମତ ରଖୁଥିବା କଙ୍ଗନା ଏବେ ନିଜ ବ୍ୟକ୍ତିଗତ ତଥା ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ହିଁ ତାଙ୍କର ବିବାହ ହେବ ବୋଲି କଙ୍ଗନା କହିଛନ୍ତି। କଙ୍ଗନା କହିଛନ୍ତି, “ପ୍ରତ୍ୟେକ ଝିଅ ନିଜ ବିବାହ ପାଇଁ ଏବଂ ପରିବାର ଗଢ଼ିବାକୁ ସ୍ୱପ୍ନ ଦେଖନ୍ତି । ମୁଁ ପରିବାର ସହିତ ରହିବାକୁ ଭଲପାଏ। ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ବିବାହ କରିବାକୁ ଏବଂ ପରିବାର ଗଢ଼ିବାକୁ ଚାହୁଁଛି ଏବଂ ଏହା ଆଗାମୀ ପାଞ୍ଚ ବର୍ଷ ପୂର୍ବରୁ ହେବ । ଯଦି ଏହା ଉଭୟ ପ୍ରସ୍ତାବିତ ଏବଂ ପ୍ରେମ ବିବାହର ମିଶ୍ରଣ ହେବ ତେବେ ବହୁତ ଭଲ ହେବ।”
ସେପଟେ, କଙ୍ଗନା ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା ଦିବସ ଅବସରରେ ରବିବାର ଦିନ ରିଲିଜ୍ ହୋଇଥିଲା । ସେଥିରେ ଜବରଦସ୍ତ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି କଙ୍ଗନା । ତାଙ୍କୁ ଜଣେ ସାହସୀ ବାୟୁସେନା ପାଇଲଟଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କର ନାମ ରହିଛି ‘ତେଜସ୍ ଗିଲ୍’ । ଏହି ଫିଲ୍ମର ଆରମ୍ଭରେ ଆକାଶରେ ଭାରତୀୟ ବାୟୁସେନାର ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏରୁ କଙ୍ଗନାଙ୍କର ଏଣ୍ଟ୍ରି ହୋଇଛି । ଆକାଶମାର୍ଗରେ ସେ ଅନେକ ବିପଜ୍ଜନକ ଷ୍ଟଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ ଅନୁସାରେ, ଜଣେ ଭାରତୀୟ ଗୁଇନ୍ଦାଙ୍କୁ ପାକିସ୍ତାନ ଅଟକ ରଖିଛି । ତାଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିବା ମିଶନରେ କଙ୍ଗନା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଫିଲ୍ମଟି ୨୭ ଅକ୍ଟୋବର ୨୦୨୩ରେ ବଡ ପରଦାରେ ମୁକ୍ତିଲାଭ କରିବ ।