ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ୫ବର୍ଷ ପରେ ମହାରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସଙ୍କ ବ୍ୟତୀତ ରାଜ୍ୟ ସିଏମ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ତାଙ୍କ ସହିତ ମନ୍ଦିର ପରିସରରେ ଉପସ୍ଥିତ ଥିଲେ। ସେ ମନ୍ଦିରରେ ନିର୍ମିତ କ୍ୟୁ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହାର ମୂଳଦୁଆ ୨୦୧୮ ରେ ପିଏମ ମୋଦୀଙ୍କ ଦ୍ୱାରା ମଧ୍ୟ ରଖାଯାଇଥିଲା।
ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୭୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକ ସାଧାରଣ କାର୍ୟ୍ୟକ୍ରମ ମାଧ୍ୟମରେ ପିଏମ ମୋଦୀ ସ୍ୱାସ୍ଥ୍ୟ, ରେଳ, ସଡକ, ତୈଳ ଏବଂ ଗ୍ୟାସ ଭଳି ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ଅନୁଯାୟୀ ସାଇ ମନ୍ଦିରରେ କ୍ୟୁ କମ୍ପ୍ଲେକ୍ସ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନୀଲୱାଣ୍ଡେ ଡ୍ୟାମର ଜଳକୁ ପୂଜା କରିବେ ଏବଂ ଏହା ସହିତ ଲାଗିଥିବା ଏକ କେନାଲ ନେଟୱାର୍କକୁ ମଧ୍ୟ ଉତ୍ସର୍ଗ କରିବେ। ସାତ ତହସିଲର ୧୮୨ ଟି ଗାଁ ୮୫ କିଲୋମିଟର ଲମ୍ବା କେନାଲ ନେଟୱାର୍କରୁ ଉପକୃତ ହେବ । ଏଥିରେ ଅହମ୍ମଦନଗର ଜିଲ୍ଲାର ୬ ଟି ତହସିଲ ଏବଂ ନାଶିକ ଜିଲ୍ଲାର ଗୋଟିଏ ତହସିଲ ଅନ୍ତର୍ଭୁକ୍ତ।