ଓଡ଼ିଶା 365 (ବ୍ୟୁରୋ): ଏଣିକି ରାଜ୍ୟରେ ସ୍ୱାଭାବିକ ଭାବେ ଚାଲିବ ଘରୋଇ ବସ୍ । ଆଗଗୁ ଧର୍ମଘଟ କରିବନି ଘରୋଇ ବସ ମାଲିକ ସଂଘ। ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ସଫଳ ହେବା ଫଳରେ ଏପରି କହିଛନ୍ତି ପରିବହନ ମନ୍ତ୍ରୀ । ଆଜି ଭୁବନେଶ୍ୱରରେ ଘରୋଇ ବସ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ଏଥିରେ ଆଲୋଚନା ପରେ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। ତାଙ୍କ ଦାବି ହେଉଛି ବ୍ଲକରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ । ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୦ ତାରିଖ ସୁଦ୍ଧା ଲିଖିତ ଭାବରେ ଦାବି ଉପସ୍ଥାପନ କରିବ ସଂଘ ।
ଆସନ୍ତା ୩୧ ତାରିଖରୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିଛି । ରାଜ୍ୟ ବସ୍ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ ବୋଲି ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ କହିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ ।