ଓଡ଼ିଶା 365 (ବ୍ୟୁରୋ):ଗାଁ ଠୁ ସହର ସବୁଠି ମାଛର ଅନେକ ଚାହିଦା ରହିଛି । ଛୋଟ ଠାରୁ ବୟସ୍କ ସମସ୍ତଙ୍କର ପ୍ରିୟ ହୋଇଥାଏ ମାଛ । ଏହାର ସମସ୍ତ ରେସିପି ଲୋକମାନଙ୍କୁ ଭଲ ଲାଗିଥାଏ । ଛୋଟ ଠୁ ବଡ ବିଭିନ୍ନ ପ୍ରକାରର ମାଛ ପୋଖରୀ, ନଈ, ଗାଡିଆ ଏବଂ ସମଦ୍ରରେ ଦେଖିବାକୁ ମିଳିଥାଏ । ହେଲେ ଆଉ ବର୍ଷ କେଇଟା ପରେ ପୋଖରୀ ,ନଇ , ସମୁଦ୍ରରୁ ମାଛ ଲୋପ ପାଇଯିବେ । ଏହା ଜ୍ୟୋତିଷଙ୍କ ଭବିଷ୍ୟବାଣୀ ନୁହେଁ । ବର୍ଷ ବର୍ଷ ଗବେଷଣା ପରେ ଗବେଷକମାନେ କହିଛନ୍ତି ଯେ,୨୦୮୦ ସୁଦ୍ଧା ମାଛର ୭୦% ପ୍ରଜାତି ନିଶ୍ଚିହ୍ନ ହେବାର ଆଶଙ୍କା ଦେଖାଦେଲାଣି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ପରିବେଶ ପରିବର୍ତ୍ତନ ଅନୁସାରେ ସମୁଦ୍ର ଜଳରେ ଅମ୍ଳଜାନ ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି ।
ଗତ ୨୦ ବର୍ଷ ମଧ୍ୟରେ ମାଛର କେତେ ପ୍ରକାର ପ୍ରଜାତି ପୋଖରୀ ,ନଦୀରେ ଆଗ ଭଳି ଦେଖାଯାଉ ନାହାଁନ୍ତି । ସମୁଦ୍ରର ଉପରି ଭାଗରେ ଦେଖାଯାଉଥିବା ମାଛ ସବୁ ଏବେ ଗଭୀର ସମୁଦ୍ରରେ ଭିତରକୁ ଚାଲିଯାଉଛନ୍ତି । ସେମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ପାଣି ଉତପ୍ତ ରହୁ ଥିବାରୁ ମାଛଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ । ଜଳବାୟୁ ପରିବର୍ତ୍ତନରେ ପ୍ରାଣୀ ଜଗତରେ ବିଭିନ୍ନ ପ୍ରଜାତି ଲୋପ୍ ପାଇଯିବେ । ସେହି ତାଲିକାରେ ପ୍ରଥମେ ମାଛ ମାନେ ଥିବାର ଗବେଷକମାନେ ସୂଚନା ଦେଇଛନ୍ତି ।