ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ ମଧ୍ୟରୁ ଗୋଟିଏ । ଏହି ପର୍ବକୁ କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ଜଣାଶୁଣା । ତେବେ ଜାଣନ୍ତୁ କାହିଁକି କରାଯାଇ ଥାଏ କୁମାର ପୂର୍ଣ୍ଣିମା ଓଷା ।
କୁମାର ପୂର୍ଣ୍ଣମୀ ଓଷା ପାଳନ କରାଯିବାର କାରଣ ଅନେକ ରହିଛି । ପୁରାଣ କିମ୍ବଦନ୍ତୀ ବିଶ୍ୱାସ ଅନୁଯାୟୀ କୁମାରୀ ଝିଅଙ୍କ ଏହି କୁମାର ପୂର୍ଣ୍ଣମୀ ଓଷାର ଅନେକ କାରଣ ରହିଛି । ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି । ବିଶ୍ୱାସ ରହିଛି ଆଜି ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ । କୁହାଯାଏ ଆଜି ଦିନରେ ଶ୍ରାକୃଷ୍ଣ ମହାରାସ ରଚିଥିଲେ । ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ ।
ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏହିଦିନ ଜଗତ ଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି ।
ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ ।