ଓଡ଼ିଶା 365 (ବ୍ୟୁରୋ): ଜାନୁଆରୀ ୫ରେ ପ୍ରକାଶ ପାଇବ ଓଡ଼ିଶା ଭୋଟରଙ୍କ ଚୂଡାନ୍ତ ତାଲିକା । ଏନେଇ ବୁଧବାର ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ୱରରେ ସିଇଓଙ୍କ ଦ୍ୱାରା ଡକାଯାଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିକୁଞ୍ଜ ଧଳ କହିଛନ୍ତି ଯେ, ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୨୭ ତାରିଖରେ ଓଡ଼ିଶାର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ।
ଏହି ତାଲିକା ସବୁ ଜିଲ୍ଲାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ ଏବଂ ରାଜନୈତିକ ଦଳମାନେ ସେଠାରୁ ଏହାର ନକଲ ପାଇପାରିବେ ବୋଲି ସେ କହିଛନ୍ତି। ନିକୁଞ୍ଜ ଧଳ ଆହୁରି ବି କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକା ଉପରେ ଭୋଟରଙ୍କ ଅଭିଯୋଗ ଏବଂ ପରାମର୍ଶ ଅକ୍ଟୋବର ୨୭ ରୁ ଡିସେମ୍ବର ୯ ମଧ୍ୟରେ ଦାଖଲ କରାଯାଇପାରିବ। ଡିସେମ୍ବର ୨୬ ସୁଦ୍ଧା ତାଲିକାରେ ଥିବା ତ୍ରୁଟିକୁ ସୁଧାରି ନିଆଯିବ ବୋଲି ସେ କହିଛନ୍ତି। ୧୮ରୁ ୧୯ ବର୍ଷ ବୟସର ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖରେ ନିର୍ବାଚନ କମିସନ ଏକ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି।