ଓଡ଼ିଶା 365 (ବ୍ୟୁରୋ): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡରେ ଥିବା ଶ୍ରୀ ଶ୍ୟାମ୍ ଗାର୍ମେଣ୍ଟ ସୋରୁମ୍ରେ ନିଆଁ ଲାଗି ଜଳିଗଲା ୨ କୋଟିର ସାମଗ୍ରୀ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନୟାଗଡ଼ା, ନୂଆଗାଁ, ଖଣ୍ଡପଡ଼ାରୁ ୪ ଦମକଳ ଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିପାରିଛନ୍ତି। ସୋରୁମ୍ରେ ସଟର ପଡ଼ିଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବା ପାଇଁ ଶେଷରେ ଜେସିବି ସହାୟତାରେ ଦୋକାନ ଘରକୁ ଭାଙ୍ଗିବାକୁ ପଡିଥିଲା । ତେବେ ନିଆଁ କିପରି ଲାଗିଲା ତାହା ଏଯାଏଁ ଜଣାପଡ଼ି ନାହିଁ। କିନ୍ତୁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ପ୍ରତିଦିନ ପରି ବୁଧବାର ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ମାଲିକ ଓ କର୍ମଚାରୀ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ବି ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ।