ଓଡ଼ିଶା 365 (ବ୍ୟୁରୋ) : ଏବେ ଚିନ୍ତାରେ ଟିମ୍ ଇଣ୍ଡିଆ । ଏଜାବତ ସୁସ୍ଥ ହୋଇନାହାଁନ୍ତି ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆଗାମୀ ଦୁଇଟି ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଟିମ୍ ଇଣ୍ଡିଆର ଉପ-ଅଧିନାୟକ । ଯଦିଓ ଏଜାବତ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତଥାବି ଖବର ଅନୁଯାୟୀ, ପୁନେରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିଲେ ହାର୍ଦ୍ଦିକ । ପରେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ପୁଣି ଥରେ ଡ୍ରେସିଂ ରୁମ୍କୁ ଫେରିଥିଲେ ହାର୍ଦ୍ଦିକ । କିନ୍ତୁ ଆହତ ସମସ୍ୟା ଗୁରୁତର ଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରୁ ହାର୍ଦ୍ଦିକଙ୍କୁ ବିଶ୍ରାମ ଦିଆଯାଇଥିଲା । ଆଉ ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଉପସ୍ଥିତ ରହିବେ ବୋଲି ବିସିସିସିଆଇ ସୂଚନା ଦେଇଥିଲା । କିନ୍ତୁ ଏବେ ଏକ ଜାତୀୟ ଗଣମାଧ୍ୟମ ଅନୁସାରେ , ବର୍ତ୍ତମାନ ଯାଏଁ ହାର୍ଦ୍ଦିକ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇନାହାନ୍ତି । ତେଣୁ ହୁଏତ ହାର୍ଦ୍ଦିକ ଆଗାମୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଉପସ୍ଥିତ ରହିପାରିବେନାହିଁ ।
ଇଂଲଣ୍ଡ ପରେ ଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବି ମିସ୍ କରିପାରନ୍ତି ହାର୍ଦ୍ଦିକ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ନଭେମ୍ବର ୫ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପାଇଁ ଫିଟ୍ ହୋଇପାରନ୍ତି । ଯଦି ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ଫିଟ୍ ଘୋଷଣା କରିବେ । ତେବେ ଯାଇ ହାର୍ଦ୍ଦିକଙ୍କୁ ଟିମ୍ରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।
ତେବେ ଯଦି ହାର୍ଦ୍ଦିକ ଆଗାମୀ ଦୁଇଟି ମ୍ୟାଚ୍ ପାଇଁ ଉପସ୍ଥିତ ନରହିବେ । ତେବେ ତାଙ୍କ ସ୍ଥାନରେ କିଏ ଖେଳିବ , ସେନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ହୁଏତ ଲକ୍ଷ୍ନୌ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ସାମିଲ କରାଯାଇପାରେ । ହେଲେ ଏବେ ଯାଏଁ ବିସିସିଆଇ ପକ୍ଷରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।