ଓଡ଼ିଶା 365 (ବ୍ୟୁରୋ): ଦିନ ଯେତେ ଗଡ଼ୁଛି, ସେତେ ଭୟଙ୍କର ହେୁଛି ଯୁଦ୍ଧ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ୟ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୦୦୦ ଅତିକ୍ରମ କରିଛି।ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୧୪୦୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଥିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫୮୦୦ ଅତିକ୍ରମ କରିଛି।ଉଭୟ ପକ୍ଷର ଏହି ବିବାଦ ମଧ୍ୟରେ ଇରାନ ସମର୍ଥିତ ସଂଗଠନ ହିଜବୁଲ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଗାଜାରେ ଇସ୍ରାଏଲ ସେନା ୩୨୦ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଛି। ଆଇଡିଏଫ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ କହିଛି ହମାସର ଅନେକ ଟନେଲ ଏବଂ ମୁଖ୍ୟାଳୟକୁ ନଷ୍ଟ କରାଯାଇଛି। କେବଳ ଏତିକି ନୁହେଁ ଗାଜାକୁ ପଦାତିକ ବାହିନୀ ପଠାଇବା ପାଇଁ ସେନା ମଧ୍ୟ ପ୍ରସ୍ତୁତି ଶେଷ କରିଛି। ଆଗକୁ ମଧ୍ୟ ଏହି ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି ।