ଓଡ଼ିଶା 365 (ବ୍ୟୁରୋ): ଅଷ୍ଟ୍ରେଲିଆର ଟାସମାନିଆ ଦ୍ବୀପର ଉତ୍ତର-ପଶ୍ଚିମ ଦିଗକୁ କେପ୍ ଗ୍ରିମ୍ ନାମକ ଏକ ଉପଦ୍ବୀପ ରହିଛି, ଯାହାକୁ କେହି କେହି ‘ପୃଥିବୀର ଧାର’ ବୋଲି ଆଖ୍ୟା ଦେଇଥା’ନ୍ତି। ଏହି ଉପାନ୍ତ ସ୍ଥାନର ବୈଶିଷ୍ଟ୍ୟ ହେଲା, ସେଠାରେ ବିଶ୍ବର ସବୁଠୁ ପରିଷ୍କୃତ ତଥା ନିର୍ମଳ ଶ୍ବାସକ୍ରିୟା ଉପଯୋଗୀ ବାୟୁ ମିଳିଥାଏ। ସମ୍ପ୍ରତି ସମଗ୍ର ବିଶ୍ବ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ଠୋସ ସମାଧାନ ଖୋଜିବାରେ ଲାଗିପଡ଼ିଥିବା ବେଳେ କେପ୍ ଗ୍ରିମ୍ ସମସ୍ତଙ୍କୁ ବିଶୁଦ୍ଧ ବାୟୁରେ ଆପ୍ୟାୟିତ କରିଆସୁଛି।
ଏହା ପଛର ମୁଖ୍ୟ କାରଣ ହେଲା, ମୂଳ ଭୂଖଣ୍ଡରୁ ଏହାର ଦୂରତା। ଟାସମାନିଆର ପଶ୍ଚିମରେ ଥିବା ସମୁଦ୍ର ହେଉଛି ପୃଥିବୀର ଦୀର୍ଘତମ ନିରବଚ୍ଛିନ୍ନ ସାମୁଦ୍ରିକ ବିସ୍ତାର ଏବଂ କେପ୍ ଗ୍ରିମ୍ ଏପରି ଏକ ସ୍ଥାନ ଯେଉଁଠି ଅନବରତ ପଶ୍ଚିମା ପବନ ବହୁଥାଏ। ଏଠାରେ ପ୍ରବାହିତ ପବନର ବେଗ ବେଳେ ବେଳେ ଏତେ ପ୍ରଖର ହୋଇଯାଏ ଯେ ଏହାର ସଂକୀର୍ଣ୍ଣ ପର୍ବତ ଶିଖରରେ ଛିଡ଼ାହେଲେ ଉଡ଼ିଯିବାର ଆଶଙ୍କା ରହିଛି।