ଓଡ଼ିଶା 365 (ବ୍ୟୁରୋ) : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ଏହି ମେଳଣ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପଡ଼ିଥାଏ । ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ହେବ ଏହି ମେଲାଣି ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ ।
ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ହେବା ସହ ବାଳଭୋଗ ନୀତି ଆରମ୍ଭ ହେବ। ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ ଗହଳିଚହଳି ଲାଗିରହିବ।