ଓଡ଼ିଶା 365 (ବ୍ୟୁରୋ) : ସରିଛି ଦଶହରା । ପୁଣି ମାଆଙ୍କ ଅପେକ୍ଷାରେ ବର୍ଷେ । ଆଜି ବିଦାୟ ନେବେ ମାଆ ଦୁର୍ଗା । ମାଆଙ୍କ ଭସାଣୀ ପାଇଁ ସକାଳୁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପୂଜା ମଣ୍ଡପରେ ସମସ୍ତ କର୍ମକର୍ତ୍ତା । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣୀକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ପୁରା ସହର । ଆକ୍ସନ ଦେଖାଇବେ ଅଘୋରୀ ଗ୍ରୁପ । ମାଆଙ୍କ ଭସାଣୀ ଦେଖିବା ପାଇଁ ସମସ୍ତ ସ୍କୁଲ, କଲେଜ, କାର୍ଯ୍ୟାଳୟ ରହିଛି ବନ୍ଦ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣୀ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ନଉପୁଜିବ ସେଥିପାଇଁ ବିଶେଷ ଧ୍ୟନ ଦିଆଯାଇଛି ।ତେବେ ରାଜଧାନୀରେ ମୋଟ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ ।
ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ । ତେବେ ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଛି। ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ୱାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯିବେ ।
ସହିଦନଗର ଭସାଣ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ । ନୟାପଲ୍ଲୀ ଭସାଣୀ କମିଟି ମେଢ଼ ଗୁଡିକ ସି.ଆର.ପି ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ । ସେହିପରି ଚନ୍ଦ୍ରଶେଖରପୁର ଭସାଣ କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଛି କମିଶନରେଟ ପୋଲିସ । ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବା ବେଳେ ଟ୍ରାଫିକ ନିୟମ ବଳବତ୍ତର କରିବ ପୋଲିସ ।