ଓଡ଼ିଶା 365 (ବ୍ୟୁରୋ): ଆଜି ବିଜୟା ଦଶମୀ। ଦୁର୍ଗତୀନାଶିନୀ ମା’ ଦୁର୍ଗାପୂଜାର ଅନ୍ତିମ ଦିନ। ଗାଁଠୁ ସହର, ସବୁଠି ଗହଳିଚହଳି । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି । ଏହି କ୍ରମରେ ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡ଼ି। ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀରେ ରାବଣ ପୋଡି ପାଇଁ ୬ଟି ସ୍ଥାନକୁ ଅନୁମତି ମିଳିଛି । ଝାରପଡ଼ା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି।
ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସନ୍ଧ୍ୟା ୭.୩୦ ରୁ ରାତି ୯ ଭିତରେ ଶେଷ ହବ ରାବଣ ପୋଡ଼ି। ନିର୍ଦ୍ଧିଷ୍ଟ ଡେଶିବେଲ ଓ ବ୍ରାଣ୍ଡର ବାଣ ଫୁଟାଇବା ଅନୁମତି ମିଳିଛି । ସେହିପରି ମାନସିକ ଓ ହୃଦ୍ ରୋଗୀ , ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ଛୋଟ ପିଲାଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।