ଓଡ଼ିଶା 365(ବ୍ୟୁରୋ): ଜାରି ରହିଛି ପାର୍ବଣ ଋତୁ । ଏହାରି ଭିତରେ ଏକ ବଡ଼ ଖବର ଆସୁଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ହାମୁନ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ମଙ୍ଗଳବାର ସକାଳ ସାଢେ ୫ଟା ସୁଦ୍ଧା ଏହା ପାରାଦୀପଠାରୁ ୨୩୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଥିଲା ।
ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ଅକ୍ଟୋବର ସକାଳ ସାଢେ ୫ଟା ବେଳେ ବାଂଲାଦେଶର ଖେପୁପାରା ଓ ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ ଓ ୭୦ କିଲୋମିଟର ବେଗରେ ଝଟକା ଲାଗିବାର ସମ୍ଭାବନା ରହିଛି ।
ଏହି ବାତ୍ୟା ହାମୁନ ଭାରତୀୟ ଉପକୂଳ ସହ ସମାନ୍ତରାଳ ଗତିରେ ସମୁଦ୍ର ମଧ୍ୟରେ ଗତି କରୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ମଧ୍ୟ ବର୍ଷା ହେବ ।