ଓଡ଼ିଶା 365(ବ୍ୟୁରୋ): ଉତ୍ତରପ୍ରଦେଶର ଅଯୋଦ୍ଧାରେ ଜୋରସୋରରେ ଆଗେଇ ଚାଲିଛି ରାମ ମନ୍ଦିର କାର୍ଯ୍ୟ । ଏହାରି ଭିତରେ ଏକ ରାମ ମନ୍ଦିରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୋହନ ଭାଗବତ । ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟା ମନ୍ଦିରରେ ଭଗବାନ ରାମଙ୍କ ବିଗ୍ରହ ସ୍ଥାପନ କରାଯିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ନାଗପୁରରେ ଆରଏସଏସ ଦଶହରା ରାଲିକୁ ସମ୍ବୋଧିତ କରି ଭାଗବତ ଏହି କାର୍ୟ୍ୟକ୍ରମକୁ ପାଳନ କରିବା ପାଇଁ ଦେଶର ବିଭିନ୍ନ ମନ୍ଦିରରେ କାର୍ୟ୍ୟକ୍ରମ ଆୟୋଜନ କରିବାକୁ ଲୋକଙ୍କୁ କହିଛନ୍ତି।
ଆସନ୍ତା ବର୍ଷ ଜାନୁଆରିରେ ଏହାର ନିର୍ଦ୍ଧାରିତ ଉଦଘାଟନ ପାଇଁ ସମୟସୀମା ପୂର୍ବରୁ କାର୍ୟ୍ୟ ସଂପୂର୍ଣ୍ଣ ପୂରଣ କରିବା ପାଇଁ ରାମ ମନ୍ଦିରରେ ନିର୍ମାଣ କାର୍ୟ୍ୟ ଜୋରସୋରରେ ଚାଲିଛି। ଶନିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ରାମ ଜନ୍ମଭୂମି ପରିସର ପରିଦର୍ଶନ କରି ଚାଲିଥିବା ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ହନୁମାନଗଡ଼ୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଇତିମଧ୍ୟରେ ଦୀପୋତ୍ସବ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିରେ ‘ରାମ କି ପୈରୀ’ରେ ୨୪ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ ଏବଂ ଦୀପାବଳି ଅବସରରେ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ଆୟୋଜନ କରାଯିବ।