ଓଡ଼ିଶା 365 (ବ୍ୟୁରୋ): ଦେଶରେ ହିନ୍ଦୁ-ମୁସଲିମଙ୍କ ସୁରକ୍ଷାକୁ ନେଇ ଅନେକ ଚର୍ଚ୍ଚ- ବିତର୍କ ଜାରି ରହିଛି । ଏହାରି ଭିତରେ ମୁସଲିମଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଇସ୍ରାଏଲ-ହମାସ୍ କିମ୍ବା ରୁଷ-ୟୁକ୍ରେନରେ ଏବେ ଯେଭଳି ଯୁଦ୍ଧ ଚାଲିଛି ଭାରତରେ ତାହା କେବେ ଦେଖିବାକୁ ମିଳିନାହିଁ। ଏଥିସହିତ ଭାରତରେ ମୁସଲମାନଙ୍କ ସମେତ ସବୁ ସଂପ୍ରଦାୟ ସୁରକ୍ଷିତ। ଭାରତ ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ମୁସ୍ଲିମ ଏଠାରେ ସର୍ବାଧିକ ସୁରକ୍ଷିତ ବୋଲି ନାଗପୁରରେ ଶନିବାର ସନ୍ଧ୍ୟାରେ ଛତ୍ରପତି ଶିବାଜୀଙ୍କର ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ।
ଭାଗବତ କହିଛନ୍ତି, ହିନ୍ଦୁତ୍ବ ଭିତରେ ଏକ ଧର୍ମ ଏବଂ ସଂସ୍କୃତି ରହିଛି ଯାହା ସମସ୍ତ ବର୍ଗ ଏବଂ ବିଶ୍ବାସକୁ ସମ୍ମାନ ଦେଇଥାଏ। ହିନ୍ଦୁତ୍ବର ସାରାଂଶ ହେଲା ଅନ୍ତର୍ଭୁକ୍ତୀକରଣ ଭାବନା। ବର୍ତ୍ତମାନ ହମାସ୍-ଇସ୍ରାଏଲ ମଧ୍ୟରେ ଯେଉଁଭଳି ଯୁଦ୍ଧ ଚାଲିଛି ସେଭଳି ସ୍ଥିତି ଆମ ଦେଶରେ କେବେ ଦେଖାଦେଇନାହିଁ। ଏପରିକି ଶିବାଜୀ ମହାରାଜାଙ୍କ ସମୟରେ ମଧ୍ୟ। ଭାରତରେ ବିଦେଶୀ ଆକ୍ରମଣ ବିରୋଧରେ ମୁଖ୍ୟତଃ ସଂଘର୍ଷ ହୋଇଛି, ଘରୋଇ ସମୁଦାୟ ବିରୋଧରେ ନୁହେଁ। ଭାରତରେ ମୁସଲମାନଙ୍କ ସମେତ ସବୁ ସଂପ୍ରଦାୟର ସୁରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ ଶିବାଜୀଙ୍କ ହିନ୍ଦୁ ରାଷ୍ଟ୍ର ଦୂରଦୃଷ୍ଟିକୁ ସେ ପ୍ରଶଂସା କରିଛନ୍ତି। ହିନ୍ଦୁତ୍ବକୁ ନେଇ ଶିବାଜୀଙ୍କ ଚିନ୍ତାଧାରାରେ ଥିବା ସ୍ପଷ୍ଟତାକୁ ପ୍ରଶଂସା କରିବାକୁ ଯାଇ ସେ କହିଛନ୍ତି ହିନ୍ଦୁ ଶବ୍ଦ ହେଉଛି ଅନ୍ତର୍ଭୁକ୍ତୀକରଣର ଏକ ଉଦାହରଣ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।