ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ମହାନବମୀ। ମହାମାୟାଙ୍କ ଦର୍ଶନ ପାଇଁ ଗତକାଲି ପରି ଆଜିବି ଲାଗିରହିଛି ପ୍ରବଳ ଭିଡ଼। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଅପରାହ୍ନ ୩ଟା ୩୦ରୁ ରାଜଧାନୀରେ ଗଡ଼ିନପାରେ ମୋ ବସ୍। ଏନେଇ ଖୁବ୍ ଜଲଦି ନିଷ୍ପତି ନେବେ କ୍ରୁଟ୍ କର୍ତୃପକ୍ଷ । ତେବେ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ରାଜଧାନୀରେ ହଜାର ହଜାର ଲୋକ ମୋ ବସ୍ ଉପରେ ନିର୍ଭର କରନ୍ତି ହେଲେ ଗତକାଲି ମହାଷ୍ଟମୀ ଯୋଗୁ ରାଜଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଏମିତି ଲାଗୁଥିଲା, ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଥିଲା । ୮ କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ଅଢେଇ ଘଂଟା ସମୟ ଲାଗିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ବିଶେଷ କରି ବଡ଼ ବଡ଼ ପୂଜା ପେଣ୍ଡାଲ ଓ ମଲ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ତାହା ପୋଲିସ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିପାରେ । ଏଣୁ ଅସମ୍ଭାଳ ଭିଡ଼ରେ ବସ୍ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ଆଜି ଅପରାହ୍ନ ୩ଟା ୩୦ରୁ ରାଜଧାନୀରେ ଗଡ଼ିନପାରେ ମୋ ବସ୍ ।