ଓଡ଼ିଶା 365 (ବ୍ୟୁରୋ): ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୨୨୦ ଅଧିକାରୀଙ୍କୁ ବଦଳି କରିଛନ୍ତି ସରକାର । ଏହି ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି । ତେବେ ଆସନ୍ତା ୨୫ ତାରିଖ ସୁଦ୍ଧା ନୂତନ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ଛୁଟି ସତ୍ୱେ ବି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ଙ୍କ ବଦଳି ହୋଇଥିଲା । ସେମାନଙ୍କୁ ମଧ୍ୟ ରିଲିଭ କରାଗଲା ବୋଲି ଉଲ୍ଲେଖ ରହିଛି ।
ପୁରୀରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଭୁବନେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ ନିମାପଡ଼ା ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ବାଲିପାଟଣା ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ଯାଜପୁର ଡେପୁଟି କଲେକ୍ଟର କାଜଲ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଥିବାବେଳେ କଟକର ଆସିଷ୍ଟାଣ୍ଟ କଲେକ୍ଟର ସୋମ୍ୟ ବିଶ୍ୱାଳ ଓ ବ୍ରହ୍ମପୁରର ଅତିରିକ୍ତ ତହସିଲଦାର ପ୍ରିୟଙ୍କା ନାହକଙ୍କୁ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି ।