ଓଡ଼ିଶା ୩୬୫(ବ୍ୟୁରୋ): ଇସ୍ରାଏଲ-ହମାସ ମଧ୍ୟରେ ଦୀର୍ଘ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧର ଭୟାବହତା ମଧ୍ୟରେ ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଅପରେସନ ଅଜୟ । ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି।
ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ- ‘ଅପରେସନ ଅଜୟ’ର ଷଷ୍ଠ ବିମାନ ନୂଆଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦରରେ ଯାତ୍ରୀମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଫଗ୍ଗନ ସିଂ କୁଲାଷ୍ଟେ। ଏହାପୂର୍ବରୁ, ନେପାଳର ୧୮ନାଗରିକଙ୍କ ସମେତ ୨୮୬ ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସହର ଉପରେ ଆକ୍ରମଣ କରିବା ପରେ ଅକ୍ଟୋବର ୧୨ରେ ଇସ୍ରାଏଲରୁ ଭାରତୀୟ ଫେରିବା ପାଇଁ ‘ଅପରେସନ ଅଜୟ’ ଆରମ୍ଭ କରାଯାଇଥିଲା। ଅଦ୍ୟାବଧି ‘ଅପରେସନ ଅଜୟ’ ଅଧୀନରେ ୧୩୦୦ ରୁ ଅଧିକ ଲୋକ ଭାରତ ଫେରିଛନ୍ତି। ଆଗକୁ ମଧ୍ୟ ଆହୁରି ଭାରତୀୟ ଫେରିବା ପାଇଁ ଉଦ୍ୟମ ଜାରି ରହିଛି ।