ଓଡ଼ିଶା ୩୬୫(ବ୍ୟୁରୋ): ଦିନିକିଆ ବିଶ୍ୱକପରେ ଜାରି ରହିଛି ଭାରତୀୟ ଟିମର ବିଜୟ ଧାରା । ଏହାରି ଭିତରେ ୨୦୧୯ ମସିହା ମ୍ୟାଚର ବଦଲା ନେଇଛି ଭାରତ । ଟିମ୍ ଇଣ୍ଡି ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍ରେ ହରାଇ ପଂଚମ ବିଜୟ ହାସଲ କରିଛି ଭାରତ । ଏଥିସହ ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବିଶ୍ୱକପ ମ୍ୟାଚ ଜିତି ପରାଜୟ ଧାରାକୁ ଭାଂଗିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ସହ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି ।
ଧର୍ମଶାଳାରେ ଖେଳା ଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ୯୫ ରନ କରିଥିଲେ । ୨୭୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ପ୍ରଥମ ୱିକେଟ୍ ଯୋଡି ୭୧ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା କ୍ରିଜ୍ରେ ଜମି ଆସୁଥିବା ବେଳେ ଫର୍ଗୁସନ୍ଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ଶୁଭମନ୍ ଗିଲ୍ ୨୬ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ । ଶ୍ରେୟସ ଆୟାର ୩୩ ଓ କେଏଲ ରାହୁଲ ୨୭ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ୟ୍ୟକୁମାର ଯାଦବ ମାତ୍ର ୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇ ଯାଇଥିଲେ ।
ସେତେବେଳେକୁ ଭାରତର ସ୍କୋର ଥିଲା ୫ ୱିକେଟ୍ରେ ୧୯୧ ରନ୍ । ତେବେ ବିରାଟ କୋହଲିଙ୍କ ସହ ରବୀନ୍ଦ୍ର ଜାଡେଜା ଯୋଗ ଦେଇ ବିଜୟ ଅଭିମୁଖେ ଭାରତକୁ ନେଇଥିଲେ । ଜାଡେଜାଙ୍କ ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ ଓ ବିରାଟ କୋହଲିଙ୍କ ଦର୍ଶନୀୟ ଇଂନିସ ଭାରତକୁ ସହଜ ବିଜୟ ଦେଇଥିଲା । କୋହଲି ୯୫ ରନ୍ କରିଥିବା ବେଳେ ଛକା ମାରିବାକୁ ଉଦ୍ୟମ କରି କ୍ୟାଚ୍ ଦେଇଥିଲେ । ଏହାପରେ ଜିତିଲା ଭାରତ ।