ଓଡ଼ିଶା 365 (ବ୍ୟୁରୋ): ଗତ ୧୪ ଦିନ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି। ହାମାସ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବେ ବୋମା ମାଡ କରୁଛି। ଏହି ସମୟରେ ଶୁକ୍ରବାର ଦିନ ଗାଜାର ଏକ ଚର୍ଚ୍ଚ ଉପରେ ବୋମା ବର୍ଷା ହୋଇଥିଲା। ପାଲେଷ୍ଟାଇନ ଏନକ୍ଲେଭର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗାଜା ଚର୍ଚ୍ଚ ପରିସରରେ ଆଶ୍ରୟ ନେଉଥିବା ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ। ଖବର ଅନୁଯାୟୀ, ଗାଜା ସହରର ଗ୍ରୀକ୍ ଅର୍ଥଡକ୍ସ ସେଣ୍ଟ୍ ପୋର୍ଫିରିୟସ୍ ଚର୍ଚ୍ଚ ଉପରେ ବୋମା ପଡିବା ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହା ଦୁନିଆର ସର୍ବ ପୁରାତନ ଚର୍ଚ୍ଚମାନଙ୍କ ମଧ୍ୟରୁ ଅନ୍ୟତମ ।
ଅଲ ଜଜିରା ଗାଜା ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ଅତିକମରେ ୧୬ ଖ୍ରୀଷ୍ଟିଆନ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଯାଇଛି। ଅନେକ ଗାଜାନ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଏଠାରେ ଆଶ୍ରୟ ନେଇଥିଲେ। ଇସ୍ରାଏଲ୍ ସୈନ୍ୟବାହିନୀ କହିଛି ଯେ ଏହାର ଯୁଦ୍ଧ ବିମାନ ଇସ୍ରାଏଲ୍ ଆଡକୁ ରକେଟ୍ ଏବଂ ମୋର୍ଟାର ଲଞ୍ଚ କରୁଥିବା ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର୍ ଉପରେ ଆକ୍ରମଣ କରିଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣ ଯୋଗୁଁ ଉକ୍ତ ଅଞ୍ଚଳର ଏକ ଚର୍ଚ୍ଚର କାନ୍ଥ ନଷ୍ଟ ହୋଇଯାଇଥିଲା।
ଏହି ଆକ୍ରମଣ ପ୍ରମାଣିତ କରିଛି ଯେ ବର୍ତ୍ତମାନ ଗାଜାର କୌଣସି ସ୍ଥାନ ଆଶ୍ରୟ ନେବା ସୁରକ୍ଷିତ ନୁହେଁ। ଏହି ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ଶହ ଶହ ଲୋକ ଏହି ଚର୍ଚ୍ଚରେ ଆଶ୍ରୟ ନେଇଥିଲେ। କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ଏଠାରେ ଏକ କ୍ଷେପଣାସ୍ତ୍ର ଖସିପଡି ଅତିକମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଦିନ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଚର୍ଚ୍ଚ ପ୍ରାଙ୍ଗଣରେ ରଖାଯାଇଥିଲା। ବିଲ୍ଡିଂର ଆବର୍ଜନାରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ବଞ୍ଚିଥିବା ଲୋକଙ୍କୁ ଖୋଜା ଚାଲିଥିଲା।