ଓଡ଼ିଶା 365 (ବ୍ୟୁରୋ) : ଚଳଚଞ୍ଚଳ ଶକ୍ତିପୀଠ ମାନ। ଆଜି ନବରାତ୍ରୀର ସପ୍ତମ ଦିନରେ କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପ ଅତ୍ୟନ୍ତ ଭୟଙ୍କର। ଆସୁରିକ ଶକ୍ତିର ବିନାଶ କରିବା ପାଇଁ ଜଗତ ଜନନୀ ଏହି ବେଶ ଧାରଣ କରିଥିଲେ। ଦେବୀଙ୍କର ସପ୍ତମ ରୂପ ସଙ୍କଟରୁ ଉଦ୍ଧାର କରନ୍ତି। ଦେବୀ କାଳରାତ୍ରୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟଙ୍କର ହୋଇଥିଲେ ମଧ୍ୟ ମାଆ ସର୍ବଦା ଶୁଭଫଳ ପ୍ରଦାନ କରୁଥିବାରୁ ତାଙ୍କର ଅନ୍ୟନାମ ଶୁଭଙ୍କରୀ । ରାତିରେ ଦେବୀ କାଳରାତ୍ରୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶୁମ୍ବ ଏବଂ ନିଶୁମ୍ବଙ୍କ ସହିତ ରକ୍ତବିଜକୁ ଧ୍ୱଂସ କରିବାକୁ ଦେବୀ କାଳରାତ୍ରୀଙ୍କ ରୂପ ଧାରଣ କରିଥିଲେ ।
ମା’ କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁ ଦୋଷ ଏବଂ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଦେବୀ କାଳରାତ୍ରୀଙ୍କ ଶରୀରର ରଙ୍ଗ ରାତ୍ରୀର ଅନ୍ଧକାର ପରି ଗାଢ ହୋଇଥିହାବେଳେ ମାଆଙ୍କର ତିନୋଟି ନେତ୍ର ରହିଛି। ସମସ୍ତ କଳା ରଙ୍ଗର ବସ୍ତ୍ର ଓ ଅଳଙ୍କାର ମାନ ଧାରଣ କରିବା ସହ ମା’ କେଶ ମୁକୁଳା କରି ହସ୍ତରେ ଖଡ୍ଗ ଧରି ବାହାନ ଗଧ ଉପରେ ବିରାଜମାନ କରିଥାନ୍ତି । କାମ, କ୍ରୋଧ,ଶତୃଙ୍କୁ ବିନାଶ କରିଥିବାରୁ ମା’ଙ୍କୁ କାଳରାତ୍ରୀ ବୋଲି କୁହାଯାଏ । ମାଆଙ୍କୁ ସନ୍ତୁଷ୍ଟ କରିବା ଲାଗି ଗୁଡର ପ୍ରସ୍ତୁତ ଭୋଗ ଲଗାଯାଇଥାଏ । ବିଶେଷ କରି ତାନ୍ତ୍ରିକ ଶକ୍ତି ପାଇଁ ମା’ଙ୍କ ପୂଜା ମଧ୍ୟ କରାଯାଏ ।
ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିବା ସହ ଶତ୍ରୁଙ୍କ ବିନାଶ, ଭକ୍ତଙ୍କର ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ। ମାଆ କାଳରାତ୍ରୀଙ୍କୁ ଐଶ୍ବର୍ଯ୍ୟର ଦେବୀ ବୋଲି କୁହାଯାଏ। ଶନି ଗ୍ରହ ଉପରେ ତାଙ୍କର ପ୍ରଭାବ ଅଧିକ ଥାଏ । ଯେଉଁମାନେ ଏହି ଦିନ ମା କାଳରାତ୍ରୀଙ୍କୁ ପୂଜା କରନ୍ତି, ସେମାନେ ଜ୍ଞାନ ସହିତ ସୌଭାଗ୍ୟଲାଭ କରିଥାନ୍ତି । ନବରାତ୍ରୀର ସପ୍ତମ ଦିନ ମା’ କାଳରାତ୍ରୀଙ୍କୁ ସମର୍ପିତ। ଭୂତ, ପ୍ରେତ, ମନ୍ଦ ଶକ୍ତି, ଶତ୍ରୁ କବଳରୁ ମୁକ୍ତ ଲାଗି ମା କାଳରାତ୍ରୀଙ୍କ ଉପାସନା କଲେ ବିପଦ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।