ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକା ଲଗାତର ଭାବେ ଇସ୍ରାଏଲକୁ ସମର୍ଥନ କରି ଆସିଛି । ଅନେକ ଯୁଦ୍ଧାସ୍ତ୍ର ସହ ଯୁଦ୍ଧ ପୋତ ଇସ୍ରାଏଲ ସୀମାରେ ମୂତୟନ କରିଛି ଆମେରିକା । ଏପରିକି ଖୋଦ୍ ଜୋ ବାଇଡେନ୍ ମଧ୍ୟ ଇସ୍ରାଏଲ ଗସ୍ତ କରିଛନ୍ତି । ସେପଟେ ଚାଲିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ମଦ୍ୟ ୟୁକ୍ରେନକୁ ଆମେରିକା ସହାୟତା କରି ଆସୁଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଏବଂ ୟୁକ୍ରେନକୁ ୧୦୫ ବିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିବାକୁ କଂଗ୍ରେସକୁ ନିବେଦନ କରିଛନ୍ତି। ବାଇଡେନ ଓଭାଲ ଅଫିସରୁ ଦେଶକୁ ସମ୍ବୋଧିତ କରିଥିଲେ ଏବଂ ଏହି ସମୟରେ କହିଥିଲେ ଯେ ଆମେରିକାର ଇତିହାସରେ ଏହା ହେଉଛି ଏକ ‘ମୋଡ଼’। ବାଇଡେନ କହିଛନ୍ତି ଯେ ‘ଏହି ପରିମାଣ ୟୁକ୍ରେନକୁ ସାହାଯ୍ୟ କରିବ ଯାହା ଋଷ ଏବଂ ହାମାସଙ୍କ ନିର୍ଦ୍ଦୟ ଆକ୍ରମଣ ସହ ସଂଘର୍ଷ କରୁଛି। ଆହୁରି ମଧ୍ୟ ଗାଜା ଷ୍ଟ୍ରିପରେ ମାନବିକ ସହାୟତା ଯୋଗାଇ ଦିଆଯାଇପାରେ ।
ଆମେରିକାର ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ବଜେଟ୍ ନିର୍ଦ୍ଦେଶକ ଶାଲାଣ୍ଡା ୟଙ୍ଗ ଆମେରିକାର ବାଚସ୍ପତି ପାଟ୍ରିକ୍ ମ୍ୟାକହେରିଙ୍କୁ ଏକ ଚିଠି ଲେଖି ଏହି ଅର୍ଥର ଦାବି କରିଛନ୍ତି। ଚିଠି ଅନୁଯାୟୀ, ଏହି ପାଣ୍ଠିରୁ ୧୪.୩ ବିଲିୟନ ଡଲାର ଇସ୍ରାଏଲକୁ ଏବଂ ୬୧.୪ ବିଲିୟନ ଡଲାର ୟୁକ୍ରେନକୁ ଦିଆଯିବ। ଏଥିସହ ଗାଜା ଅଞ୍ଚଳରେ ରିଲିଫ୍ ସାମଗ୍ରୀ, ତାଇୱାନ ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ୭.୪ ବିଲିୟନ ଡଲାର୍ ଏବଂ ଆମେରିକା-ମେକ୍ସିକୋ ସୀମାରେ ସୁରକ୍ଷାକୁ ବଢାଇବା ପାଇଁ ୧୩.୬ ବିଲିୟନ ଡଲାର୍ ମାଗିଛନ୍ତି।
ୟଙ୍ଗ ଏହି ଚିଠିରେ ଲେଖିଛନ୍ତି ଯେ ବିଶ୍ୱ ନଜର ରଖିଛି ଏବଂ ଆମେରିକାର ଲୋକମାନେ ଆଶା କରୁଛନ୍ତି ଯେ ନେତାମାନେ ଏକଜୁଟ ହୋଇ ଏହି ପ୍ରସଙ୍ଗରେ ଏକାଠି ହେବେ। ବାଇଡେନଙ୍କ ଆବେଦନ ପରେ ସିନେଟ ମେଜରିଟି ନେତା ଚକ ଶୁମର ମଧ୍ୟ ଏହି ପ୍ୟାକେଜକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ସେ ଏହି ପ୍ୟାକେଜକୁ ଶୀଘ୍ର ପାସ କରିବାକୁ ଚେଷ୍ଟା କରିବେ।