ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧୫ ଦିନ ବିତିଗଲାଣି । ଉଭୟ ପକ୍ଷରୁ ଚାଲିଥିବା ଆକ୍ରମଣରେ ଏପର୍ୟ୍ୟନ୍ତ ୫,୫୩୭ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ ରୁ ଅଧିକ। ଅନ୍ୟପକ୍ଷରେ ଗାଜା ଷ୍ଟ୍ରିପରେ ହୋଇଥିବା ବିସ୍ଫୋରଣରେ ୪,୧୩୭ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ ଦିନ ସକାଳେ ଆତଙ୍କବାଦୀ ସଂଗଠନ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଏବଂ ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଏବଂ ତାଙ୍କର ବରିଷ୍ଠ ସହଯୋଗୀମାନେ ଇସ୍ରାଏଲ ନେତାମାନଙ୍କୁ ହିଜବୁଲ ବିରୋଧରେ କୌଣସି ବଡ଼ ଆକ୍ରମଣ ନକରିବାକୁ ଅନୁରୋଧ କରିଛନ୍ତି। ଯଦି ଇସ୍ରାଏଲ ଆକ୍ରମଣ କରେ, ତେବେ ଯୁଦ୍ଧ ବୃଦ୍ଧି ପାଇବ।