ଓଡ଼ିଶା 365 (ବ୍ୟୁରୋ): ମା’ ଆସୁଛନ୍ତି । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର । ବଜାର ଗରମ ଥିବାବେଳେ ସିନେମା ହଲରେ ବି ଅନେକ ଭିଡ ଦେଖିବାକୁ ମିଳିଛି । ଏହି ଦଶହରାରେ ପୂଜା ବଜାରରେ ମୁକ୍ତିଲାଭ କରିଛି ତିନିଟି ଓଡ଼ିଆ ସିନେମା। ‘ମାଲ୍ୟଗିରି’, ‘କଟକ ଶେଷରୁ ଆରମ୍ଭ’ ଓ ‘ରାମ୍’ । ‘କଟକ ଶେଷରୁ ଆରମ୍ଭ’ ଫିଲ୍ମରେ ସିଦ୍ଧାନ୍ତ- ଅନୁ,ଦେବାଶିଷ-ପୁନମଙ୍କ ଯୋଡ଼ି ଦେଖିବାକୁ ମିଳିଥିବାବେଳେ ‘ରାମ’ରେ ଅରିନ୍ଦମ-ରୂପସାଙ୍କ ଯୋଡ଼ି ରହିଛି। ସେପଟେ ‘ମାଲ୍ୟଗିରିରେ’ ମଧ୍ୟ ବାବୁସାନ୍-ଶିବାନୀ ଏବଂ ଅମ୍ଳାନ-ସୂର୍ୟ୍ୟମୟୀଙ୍କ ଯୋଡ଼ି ଦେଖିବାକୁ ମିଳିବ । ଯାହାକୁ ଦର୍ଶକମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ହେଲେ ଏଥର ଦଶହରାରେ କିଛି ହିଟ୍ ଯୋଡ଼ି ବଡ଼ ପରଦାରେ ନଜର ଆସିନାହାନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏମାନଙ୍କ ଭିତରେ ଅଛନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା, ସବ୍ୟସାଚୀ-ଅର୍ଚ୍ଚିତା ଏବଂ ବାବୁସାନ୍-ଭୂମିକା।
ଖବର ମୁତାବକ, ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କୁ ଶେଷ ଥର ପାଇଁ ପୂଜା ବଜାରରେ ‘ମେଣ୍ଟାଲ’ ଫିଲ୍ମରେ ଦେଖିବାକୁ ମିଳିଥିଲା ହେଲେ ତା ପରଠୁ କୌଶସି ପୂଜା ବଜାରରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିଲା ନାହିଁ । ସେହିପରି ଓଲିଉଡର ଆଉ ଏକ ସଫଳ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତା। ଏହି ଯୋଡ଼ିର ଶେଷ ଦଶହରା ରିଲିଜ୍ ହେଲା ‘ଛାତି ତଳେ ଡିଂ ଡଙ୍ଗ୍’। ୨୦୧୬ରେ ରିଲିଜ୍ ହୋଇଥିଲା ଏହି ସିନେମା। ଏହାପରଠୁ ପୂଜା ବଜାରକୁ ଏହି ଯୋଡିଙ୍କ ଫିଲ୍ମ ଆସିନାହିଁ ।
ଅନ୍ୟପଟେ, ବାବୁସାନ୍-ଭୂମିକା ଯୋଡ଼ିର ପ୍ରଥମ ସିନେମା ହେଉଛି ‘ହିରୋ ନମ୍ବର ଓ୍ଵାନ୍’, ଯାହା ୨୦୧୭ ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବାବୁସାନ୍-ଭୂମିକାଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା । ଏହାପରେ ପୁଣିଥରେ ୨୦୧୮ ପୂଜା ବଜାରରେ ବାବୁସାନ୍-ଭୂମିକାଙ୍କ ଯୋଡ଼ିକୁ ‘ଶ୍ରୀମାନ୍ ସୁରଦାସ’ରେ ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ୨୦୧୯ ପୂଜା ବଜାରରେ ବି ବାବୁସାନ୍ ଓ ଭୂମିକାଙ୍କୁ ଏକାଠି ଏକ ସିନେମାରେ ଦେଖିବାକୁ ମିଳିଥିଲା। ହେଲେ ଗତ ୪ ବର୍ଷ ଧରି ପୂଜା ବଜାରରୁ ଗାଏବ ଅଛନ୍ତି ଏହି ଯୋଡ଼ି। ସେପଟେ ଏହି ଯୋଡିଙ୍କୁ ଦେଖିବା ପାଇଁ ଦର୍ଶକମାନେ ଚାତକ ପରି ଚାହିଁବସିଥିଲେ ହେଲେ ତାହା ସଫଳ ହେଲା ନାହିଁ ।