ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଉଭୟଙ୍କ ଆକ୍ରମଣ ମଧ୍ୟରେ ଗାଜାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଗାଜାର ସାଧାରଣ ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାରି ଭିତରେ ୬ଟି ହସ୍ପିଟାଲରେ ଆଜିଠାରୁ ସେବା ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଇସ୍ରାଏଲ ଖୁବ୍ଶୀଘ୍ର ଗାଜା ଷ୍ଟ୍ରିପ୍ରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଆଜି ଘୋଷଣା କରିଛି। ଗାଜା ସୀମାରେ ଇସ୍ରାଏଲର ଲକ୍ଷାଧିକ ସୈନିକ ପାଟ୍ରୋଲିଂ କରୁଛନ୍ତି ଏବଂ ବହୁ ସଂଖ୍ୟାରେ ଟ୍ୟାଙ୍କ୍ ମୁତୟନ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ୍ ସୀମା ନିକଟରେ ସୈନିକଙ୍କୁ କହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ଗାଜାରେ ପ୍ରବେଶ କରିବାପାଇଁ ନିର୍ଦ୍ଦେଶ ଦିଆଯିବ। ଗାଲାଣ୍ଟ କହିଛନ୍ତି, ଆପଣମାନେ କିନ୍ତୁ ଖୁବ୍ଶୀଘ୍ର ଗାଜା ଭିତରର ଦୃଶ୍ୟ ଦେଖିବେ। ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇସ୍ରାଏଲ-ହମାସ ଯୁଦ୍ଧରେ ଇରାନ୍ ବି ସାମିଲ ହେବ ବୋଲି ଧମକ ଦେଇଛି।
ଲେବାନନ, ସିରିୟା ଏବଂ ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଅହରହ ପ୍ରୟାସ ହେଉଛି। ପରିସ୍ଥିତି ଏକ ବିଶାଳ ଓ ଭୟାନକ ଯୁଦ୍ଧ ଆଡ଼କୁ ମୁହାଁଉଥିବାରୁ ଆସନ୍ତାକାଲି ଇଜିପ୍ଟରେ ଜରୁରୀ ଶାନ୍ତି ସମ୍ମିଳନୀ ଡକାଯାଇଥିବା ଇଜିପ୍ଟ ରାଷ୍ଟ୍ରପତି ଆବ୍ଦେଲ ଅଲ୍ ସିସି କହିଛନ୍ତି। ଏହି ସମ୍ମିଳନୀରେ ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟ୍ରେସ ଯୋଗଦେବେ ବୋଲି ଜଣାପଡ଼ିଛି। ସମ୍ମିଳନୀରେ କତାର, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ୟୁଏଇ, ବାହାରିନ୍, ସାଉଦି ଆରବ, ଇରାକ୍ ଏବଂ ସାଇପ୍ରସ୍ର ନେତାଙ୍କ ଉପସ୍ଥିତି ନିଶ୍ଚିତ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଇସ୍ରାଏଲକୁ ସମସ୍ତ ପ୍ରକାର ସାମରିକ ଓ ମାନବୀୟ ସହାୟତା ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିବା ସହ ତତ୍କାଳ ୧୪ ବିଲିୟନ ଡଲାର ଇସ୍ରାଏଲ ପାଇଁ ମଂଜୁର କରିବାକୁ କଂଗ୍ରେସକୁ ଆବେଦନ କରିଛନ୍ତି। ଇରାନ୍ ଇସ୍ରାଏଲକୁ ବାରମ୍ବାର ଧମକ ଦେବା ସହ ଆବଶ୍ୟକ ହେଲେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି। ଆମେରିକାର ଯୁଦ୍ଧଜାହାଜଗୁଡ଼ିକ ଇସ୍ରାଏଲର ସୁରକ୍ଷା ପାଇଁ ସକ୍ରିୟ ହୋଇଉଠିଛି।