ଓଡ଼ିଶା 365 (ବ୍ୟୁରୋ): ମା’ ଦୁର୍ଗତୀନାଶିନୀଙ୍କ ପୂଜାକୁ ନେଇ ଗାଁଠୁ ସହର ସବୁଠି ଗହଳଚହଳ । ଆଜି ଧରାବତରଣ କରିବେ ଭକ୍ତବତ୍ସଳା ମାଆ ଦୁର୍ଗା। ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଭିଡ଼ ଲଗାଇଲେଣି ଶ୍ରଦ୍ଧାଳୁ । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଆଗୁର, ଚନ୍ଦନର ବାସରେ ମହକୁଛି ଧରା। ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ କରାଯିବ ଚକ୍ଷୁଦାନ। ପରେ ସମସ୍ତ ନୀତିକାନ୍ତି ଅନୁଯାୟୀ ଆରମ୍ଭ ହେବ ସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା ।
ମା’ ଆସିବେ, ଏ ଧରା ହସିବ। ଭକ୍ତଙ୍କ ସମସ୍ତ ଦୁଃଖ ଦୁର ହେବ । ମାଆଙ୍କ ଦର୍ଶନରେ ଏ ଆଖି ପୂଣ୍ୟ ଲଭିବ । ଏସବୁ ଭିତରେ ପୂଜା ପାଇଁ ସଜେଇ ହୋଇଛି ଦ୍ୱେତନଗରୀ । ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ସ୍ମାର୍ଟ ସିଟି । ନବରାତ୍ରୀକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ଦାଣ୍ଡିଆ ନୃତ୍ୟର ଆୟୋଜନ କରାଯାଇଛି ।