ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଆଜିଠୁ ପୁଣି ଗଡିଲା ବସ୍ । ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ତେବେ ୩୧ ତାରିଖ ଯାଏଁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ପାର୍ବଣକୁ ଦୃଷ୍ଟିରେ ରଖି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବସ ଧର୍ମଘଟ ସ୍ଥଗିତ ରହିଛି । ରାଜ୍ୟ ସରକାର ଓ ଘରୋଇ ମାଲିକ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ସଂଘ । ତେବେ ୨୬ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତିକୁ ଅପେକ୍ଷା। ଯଦି ସରକାର ଦାବି ପୁରଣ ନକରନ୍ତି ତେବେ ପୁଣି ଧର୍ମଘଟ ହେବ ବୋଲି ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।
ପାର୍ବଣରେ ବସ ଧର୍ମଘଟ ଯୋଗୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଏଥିପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ । ଗତକାଲି ରାତିରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ କରିଛି । ବସ ଧର୍ମଘଟ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକ ପରେ ରାଜ୍ୟରେ ପୁଣି ଘରୋଇ ବସ ଚଳାଚଳ କରିବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅକ୍ଟୋବର ୨୬ରେ ପୁଣି ଥରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଗତକାଲି ସାରା ରାଜ୍ୟରେ ବସ୍ ଧର୍ମଘଟ ହୋଇଥିଲା । ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିବା କାରଣରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।