ଓଡ଼ିଶା 365 (ବ୍ୟୁରୋ): ଦିନ ଯେତିକି ଗଡ଼ୁଛି ସେତେ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଏହାରି ଭିତରେ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଉଭୟଙ୍କ ମଧ୍ୟରେ ଯୁଦ୍ଧ ଯୋଗୁଁ ଗାଜାର ସ୍ଥିତି ଦୁର୍ବଳ ହୋଇପଡ଼ିଛି । ଲକ୍ଷ ଲକ୍ଷ ଲୋକ ଘର ଛାଡିଥିବା ବେଳେ ଅନେକ ଏବେ ବି ଯୁଦ୍ଧ ମୈଦାନରେ ଫଶିରହିଛନ୍ତି । ଆମେରିକାର ଚେତାବନୀ ସତ୍ୱେ ଖୁବଶୀଘ୍ର ଇସ୍ରାଏଲ ଗାଜା ଷ୍ଟ୍ରିପରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି ।
ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇରାନ ଯୁଦ୍ଧରେ ସାମିଲ ହେବ ବୋଲି ଧମକ ଦେଇଛି । ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଉପରେ ଆକ୍ରମଣ ହୋଇଛି । ଲେବାନନ ଉପରେ ଆକ୍ରମଣ ସହ ହମାସର ୧୦୦ ଠିକଣାକୁ ଧ୍ୱଂସ କରିଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧ ଯୋଗୁ ୫ ହଜାରରୁ ଅଧିକ ଜୀବନ ଯାଇଥିବା ସୂଚନା ମଳିଛି ।
ଲମ୍ବା ଯୁଦ୍ଧ ପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବା ବେଳେ ଆଜି ଶାନ୍ତି ସମ୍ମଳିନୀ ଡକାଯାଇଛି । ଆଜି ଇଜିପ୍ଟରେ ଜରୁରୀ ଶାନ୍ତି ସମ୍ମିଳନୀ ଡକାଯାଇଥିବା ନେଇ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଅଲ ସିସି କହିଛନ୍ତି । ଏହି ସମ୍ମିଳନୀରେ ଜାତିସଂଘ ମୁଖ୍ୟ ଏଟୋଂନିଓ ଗୁଟେରେସଙ୍କ ସହ କତାର ,ତୁର୍କୀ, ଗ୍ରୀସ୍, ଜୋର୍ଡାନ, ୟୁଏଇ, ବାହାରିନ, ସାଉଦି ଆରବ, ଇରାନ ଏବଂ ସାଇପରର ନେତା ଉପସ୍ଥିତ ରହିବେ ବୋଲି ସୂଚନା ମଳିଛି । ତେବେ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି ।