ଓଡ଼ିଆ 365 (ବ୍ୟୁରୋ) :ଦୀର୍ଘ ୨୭ ବର୍ଷପରେ ଆସିଲା ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାର ଚୂଡ଼ାନ୍ତ ରାୟ, ହଁ ଆଜ୍ଞା ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସୁଣାଇଛନ୍ତି କୋର୍ଟ । କମେଣ୍ଟ ମରାକୁ ନେଇ ୩ଜଣ ସାଙ୍ଗକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ୪ ଜଣ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଲେଖାଏଁ ଜରିମାନା ପାଇଁ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା ।
ଖଣ୍ଡଗିରି ଥାନା ଅନ୍ତରଗତ ଜଗନ୍ନାଥ ବିହାରରେ ସାରଦା ରଥ , ଭମ୍ରରବର ରାୟ ଓ ବିଶ୍ୱଜିତ ମହାନ୍ତି, ଏହି ୩ ଜଣ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ବିଶ୍ୱଜିତ ଦାସ, ଚିତରଞ୍ଜନ ପାଢ଼ୀ ଓ ରୁଦ୍ର ନାରାୟଣ ସାହୁଙ୍କ ସମେତ ସମୀର ପ୍ରଧାନଙ୍କୁ ଗିରଫ କରିଥିଲା । ପରେ ସେମାନେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ତେବେ ସେହି ଘଟଣାରେ ଆଜି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି । ସେହି ସମୟର ପାରିପାର୍ଶ୍ବିକ ପ୍ରମାଣ, ଜବତ ହୋଇଥିବା ମାରଣାସ୍ତ୍ର ସହ ସାଇଣ୍ଟିଫିକ୍ ପ୍ରମାଣ ଓ ୨୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମାମଲାର ବିଚାର ହୋଇଥିଲା ।