ଓଡ଼ିଶା 365 (ବ୍ୟୁରୋ): ପୋଷା ଜୀବମାନେ ସାଧାରଣତଃ ନିଜ ମାଲିକଙ୍କୁ ଅତୁଳନୀୟ ଆରାମ ପ୍ରଦାନ କରିବାର କ୍ଷମତା ପାଇଁ ଜଣାଶୁଣା। ସେମାନଙ୍କ ଠାରେ ବିଶେଷ ଧରଣର ଇନ୍ଦ୍ରିୟ ଥିବା ମଧ୍ୟ କୁହାଯାଏ, ଯାହା ସେମାନଙ୍କୁ କେତେକ ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ। ‘ଓସ୍କାର’ ନାମକ ଏକ ବିରାଡ଼ି ଏପରି ଏକ ପୋଷା ଜୀବ ଯାହା ନିଜର ଅସାଧାରଣ ପୂର୍ବାନୁମାନ ଗୁଣ ପାଇଁ ଚର୍ଚ୍ଚିତ।୨୦୦୫ରେ ତା’କୁ ମାତ୍ର ଛଅମାସ ହୋଇଥିବା ବେଳେ ଆମେରିକାର ଏକ ନର୍ସିଂ ହୋମ୍ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରି ‘ଉପଶମ ବିରାଡ଼ି’ ଭାବେ ଲାଳନ ପାଳନ କରିଥିଲା। ତେବେ ସେ କୌଣସି ସାଧାରଣ ବିରାଡ଼ି ନଥିଲା। ନର୍ସିଂ ହୋମ୍ର କର୍ମଚାରୀମାନେ ତା’ଠାରେ କିଛି ଅଜବ ଗୁଣ ଦେଖିବାକୁ ପାଇଥିଲେ। ରୋଗୀର ମୃତ୍ୟୁର ପୂର୍ବାନୁମାନ କରିବାର କ୍ଷମତା ତାହାର ଥିଲା।
ଓସ୍କାର ଏକୁଟିଆ ରହିବାକୁ ଭଲ ପାଉଥିଲା ଏବଂ କେବେ କ୍ବଚିତ୍ କାହା ଶଯ୍ୟା ଉପରକୁ ଯାଉଥିଲା। ସେ ଯେଉଁ ରୋଗୀଙ୍କ କୋଳକୁ ଡେଇଁ ଯାଉଥିଲା, କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟୁଥିଲା। ପ୍ରଥମେ ପ୍ରଥମେ ଡାକ୍ତରମାନେ ତାହା ଲକ୍ଷ୍ୟ କରିନଥିଲେ କି କର୍ମଚାରୀମାନେ ମଧ୍ୟ ଏ ବାବଦରେ ଧ୍ୟାନ ଦେଇନଥିଲେ, ମାତ୍ର ୨୦ ଥର ଏପରି ଘଟିଲା ପରେ ସେମାନେ ଓସ୍କାରର ଏହି ପୂର୍ବାନୁମାନ ଗୁଣ ବିଷୟରେ ସଚେତନ ହୋଇଥିଲେ। ଥରେ ଜଣେ ରୋଗୀର ମୃତ୍ୟୁ ପ୍ରାୟ ଆସନ୍ନ ହୋଇଥିବା ବେଳେ ଓସ୍କାର ତାଙ୍କ ପାଖକୁ ଯିବ ବୋଲି କର୍ମଚାରୀମାନେ ଅନୁମାନ କରୁଥିଲେ।
ମାତ୍ର ସେ ସଂପୃକ୍ତ ରୋଗୀ ପାଖକୁ ନଯାଇ ସମ୍ମୁଖ ଶଯ୍ୟାର ଅନ୍ୟ ଜଣେ ସୁସ୍ଥ ରୋଗୀର କୋଳକୁ ଯାଇଥିଲା। କୌଣସି କାରଣରୁ କିଛି ସମୟ ପରେ ସେହି ସୁସ୍ଥ ରୋଗୀଟିର ହିଁ ମୃତ୍ୟୁ ଘଟିଥିବା ବେଳେ ଆସନ୍ନମୃତ୍ୟୁ ରୋଗୀଟି ସୁସ୍ଥ ହୋଇଯାଇଥିଲେ। ଗବେଷକମାନଙ୍କ କହିବାନୁଯାୟୀ, କୌଣସି ରୋଗୀର ମୃତ ଜୀବକୋଷଗୁଡ଼ିକରୁ ନିର୍ଗତ ଜୈବରାସାୟନିକ ପଦାର୍ଥର ଗନ୍ଧକୁ ଓସ୍କାର ଠଉରେଇ ପାରୁଥଲା, ଫଳରେ ସେ ମୃତ୍ୟୁମୁଖୀ ରୋଗୀ ପାଖକୁ ଯାଉଥିଲା। ଓସ୍କାର ନିଜ ଜୀବନକାଳରେ ଶତାଧିକ ରୋଗୀଙ୍କ ମୃତ୍ୟୁର ପୂର୍ବାନୁମାନ କରିଥିଲା।