ଓଡ଼ିଶା 365 (ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଭାଷଣକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ପାଣ୍ଡିଆନଙ୍କୁ ‘ମୁଖ୍ୟମନ୍ତ୍ରୀ ମହୋଦୟ’ କହି ସମ୍ବୋଧନ କରିଛନ୍ତି ବିଧାୟକ ଦେବୀ ମିଶ୍ର। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। କଟକ ଜିଲ୍ଲା ବଡମ୍ବା ବ୍ଲକର କଚେରୀ ପଡ଼ିଆର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଦେବୀ ମିଶ୍ରଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଭାଷଣ ଦେବା ବେଳେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଥିଲେ ଦେବୀ ମିଶ୍ର । ଯାହାକୁ ନେଇ ଏବେ ରାଜନୀତି ମହଲରେ ଜୋରସାର ଚର୍ଚ୍ଚା। ପୂର୍ବରୁ ମଧ୍ୟ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ।