ଓଡ଼ିଶା 365 (ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତାକାଲି ପାକିସ୍ତାନ ଫେରିବେ। ଏହାପୂର୍ବରୁ ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚିଛନ୍ତି। ଏଠାରେ ସରିଫ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଭେଟିବେ । ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ମୁଖ୍ୟ ସରିଫ ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ପହଞ୍ଚିଥିଲେ। ଏବେ କୁହାଯାଉଛି ଯେ ସେ ଚାର୍ଟାର୍ଡ ବିମାନ ଦ୍ୱାରା ପାକିସ୍ତାନକୁ ଫେରିବେ ।
ଆଭେନ୍ଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ନୱାଜ ସରିଫଙ୍କୁ ଜାମିନ ପ୍ରଦାନ କରିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ଆସିବାର ରାସ୍ତା ସଫା ହୋଇଯାଇଥିଲା। ତେବେ ଏହି ରିଲିଫ୍ ସ୍ୱଳ୍ପ ମିଆଦି ଅଟେ ଏବଂ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କେବଳ ଅକ୍ଟୋବର ୨୪ ପର୍ୟ୍ୟନ୍ତ ଗିରଫରୁ ମୁକ୍ତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନ ଦୁର୍ନୀତି ନିବାରଣ କୋର୍ଟ ମଧ୍ୟ ତୋସାଖାନା ମାମଲାରେ ନୱାଜ ସରିଫଙ୍କ ବିରୋଧରେ ଜାରି ୱାରେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂତ୍ରରୁ ପ୍ରକାଶ ଯେ ସରିଫ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସାଉଦି ଆରବର ୟେଦାଠାରେ ଅଟକି ଥିବାରୁ କିଛି ଘଣ୍ଟା ବିଳମ୍ବରେ ପାକିସ୍ତାନରେ ପହଞ୍ଚିବେ। ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦିଆଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ ଦୁବାଇରେ ଦୁଇ ଦିନ ରହିବା ସମୟରେ ନୱାଜ କିଛି ବଛା ବଛା ଲୋକଙ୍କୁ ଭେଟିବେ ଏବଂ ପ୍ରଥମେ ଇସଲାମାବାଦ ଏବଂ ପରେ ଶନିବାର ସକାଳେ ଲାହୋର ଅଭିମୁଖେ ଯିବେ। ୧୫୦ ଜଣଙ୍କ ସହ ଏକ ଚାର୍ଟାର୍ଡ ବିମାନରେ ସରିଫ ପାକିସ୍ତାନ ଫେରିବେ।