ଓଡ଼ିଶା 365 (ବ୍ୟୁରୋ) : ଜଣେ ନୁହେଁ କି ଦୁଇଜଣ ନୁହେଁ ୫ ଜଣଙ୍କ ସନ୍ଦେହ ଜଣଙ୍କ ମୃତ୍ୟୁ । ସ୍ୱାମୀ, ଶାଶୂ, ଶ୍ୱଶୁର, ନଣନ୍ଦର ମୃତ୍ୟୁ । ଦେଖୁଦେଖୁ ଉଜୁଡିଗଲା ପୁରାପରିବାର । ଗୋଟିଏ ପରିବାରର ବାରମ୍ବାର ସମାଲୋଚନାରେ ଅତିଷ୍ଠ ହୋଇ ବୋହୂ ସଂଘମିତ୍ରା ଜଣେ ସମ୍ପର୍କୀୟ ମହିଳାଙ୍କ ସହ ମିଶି ପୂରା ପରିବାରକୁ ହତ୍ୟାକାଣ୍ଡ ଘଟାଇଛି । ଏହିଭଳି ଏକ ଅଭାବନୀ ଘଟଣା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଗଡଚିରୋଲିରେ ଗୋଟିଏ ପରିବାରରେ ପାଞ୍ଚ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁର ପର୍ଦ୍ଦାଫାଶ କରିଛି ପୋଲିସ । ଡେଥ୍ ମିଷ୍ଟ୍ରି ସାଜିଥିବା ଏହି ମାମଲା ସାମୁହିକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ଆଉ ଏହି ମୃତ୍ୟୁ ପଛରେ କୌଣସି ଶତ୍ରୁ କିମ୍ବା ସିରିଏଲ କିଲର ନୁହଁନ୍ତି, ବରଂ ପରିବାରର ବୋହୂ ଥିବା ଜଣାପଡ଼ିଛି ।
ଦୁଇ ମହିଳା ଯୋଜନା କରି ପରିବାର ଲୋକଙ୍କୁ ବିଷ ପିଆଇ ହତ୍ୟା କରିଛନ୍ତି । ଗିରଫ ସଂଘମିତ୍ରା ସହ ତାଙ୍କ ସ୍ୱାମୀ ରୋଷନ ଓ ଶାଶୂ ଘର ଲୋକଙ୍କ ତିକ୍ତତା ଲାଗି ରହିଥିଲା । ସଂଘମିତ୍ରା ରୋଷନଙ୍କୁ ପ୍ରେମ ବିବାହ କରିବା ପରେ ତାଙ୍କ ବାପା ଆତ୍ମହତ୍ୟା କରିଥିଲେ । ଆଉ ସେହି କଥାକୁ ନେଇ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ । ସେମାନଙ୍କ କଥାରେ ସଂଘମିତ୍ରା ଏତେ ବିଚଳିତ ହୋଇ ପଡ଼ିଥିଲେ ଯେ ସମସ୍ତଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ରିତିମତ୍ ଯୋଜନା ଚିନ୍ତା କରିଥିଲେ । ଆଉ ଏହି ହତ୍ୟାର ଚକ୍ରବିହୁରେ ପରିବାରର ଜଣେ ମହିଳା ମଧ୍ୟ ସହଯୋଗ କରିଥିଲେ । ଯେପରି କାହାର ସନ୍ଦେହ ନହେବ ସେଥିପାଇଁ ଖାଦ୍ୟ ଓ ପାଣିରେ ମିଶାଇଥିଲେ ବିଷ ।
ସେପ୍ଟେମ୍ବର ୨୦ ସଂଘମିତ୍ରାଙ୍କ ଶ୍ୱଶୁର ଶଙ୍କର କୁମ୍ଭାରେ ଓ ତାଙ୍କ ପତ୍ନୀ ବିଜୟାଙ୍କ ଶରୀରରେ ଖାଦ୍ୟ ବିଷାକ୍ତ ହେବାର ଲକ୍ଷଣ ସବୁ ଦେଖାଦେଇଥିଲା । ଚାହୁଁଚାହୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ପ୍ରଥମେ ଶଙ୍କର କୁମ୍ଭାରେ ଓ ଦିନକ ପରେ ତାଙ୍କ ସ୍ତ୍ରୀ ଆଖି ବୁଜିଥିଲେ । ଏହି ଶୋକରୁ ପରିବାର ଲୋକ ବାହାରି ନଥିବା ବେଳେ ସେମାନଙ୍କ ଦୁଇ ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ ସମାନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୮ରେ କୋମଳ, ୧୪ରେ ଆନନ୍ଦା ଓ ଦିନକ ପରେ ରୋଶନଙ୍କ ମୃତ୍ୟୁ ଘଟିଥିଲା ।ପ୍ରାଣ ହରାଇଥିବା ପରିବାରର ୫ ସଦସ୍ୟଙ୍କ ଶରୀରରେ ସମାନ ଲକ୍ଷଣ ଦେଖାଦେଇଥିଲା। ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆଗଲା। ତୁରନ୍ତ ୪ଟି ଟିମ ଗଠନ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସତ ପଦାକୁ ଆସିଛି । ଶେଷରେ ସଙ୍ଘମିତ୍ରା ଓ ଅନ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ ।