ଓଡ଼ିଶା 365 (ବ୍ୟୁରୋ): ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବ ମୁଣ୍ଡାରୀ ଭାଷା। ଏନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ସୁପାରିସ୍ କରାଯାଇଛି।
କହିରଖୁ କି, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ଅନ୍ତର୍ଭୁକ୍ତ ହେଲେ ମୁଣ୍ଡା ଓ ମୁଣ୍ଡାରୀ ଜନଜାତିଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି ହୋଇପାରିବ । ଏହା ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ସହାୟକ ହେବ । ମୁଣ୍ଡାରୀ ଭାଷାଭାଷୀଙ୍କ ଅନ୍ୟ ଭାଷାକୁ ଆହରଣ କରିବା ଧାରା ନିୟନ୍ତ୍ରିତ ହେବ । ମୁଣ୍ଡାରୀ ଭାଷାରେ ଲିଖିତ ସାହିତ୍ୟ ସୃଷ୍ଟି ବ୍ୟାପକ ହେବ । ମୁଣ୍ଡାରୀ ଭାଷାଭାଷୀଙ୍କ ପ୍ରଜାତିକ ଜ୍ଞାନ ଓ ପ୍ରୟୋଗ କୌଶଳ ସଂରକ୍ଷିତ ହୋଇପାରିବ । ଏହି ନିଷ୍ପତ୍ତି ଯୋଗୁ ୬ଲକ୍ଷରୁ ଅଧିକ ମୁଣ୍ଡାରୀ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବେ ।