ଓଡ଼ିଶା 365 (ବ୍ୟୁରୋ): ଭାରତୀୟ ରେଳରେ ଯୋଡ଼ି ହେଲା ଆଉ ଏକ ଐତିହାସିକ ଫର୍ଦ୍ଦ । ଟ୍ରାକରେ ଗଡ଼ିଲା ନମୋ ଭାରତ ଏକ୍ସପ୍ରେସ । ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ପ୍ରଥମ ପର୍ୟ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି ।
ଆରଆରଟିଏସ୍ ବା ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ- ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଣ୍ଟାରୁ କମ୍ ସମୟରେ ପୁରା କରିବ ନମୋ ଭାରତ ଟ୍ରେନ୍ । ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ । ଉଦଘାଟନ ସମୟରେ ପାଖରେ ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।