ଓଡ଼ିଶା 365 (ବ୍ୟୁରୋ) : ପୁଣେରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍। ଭାରତକୁ ଭେଟି ଦେଲେ ଦମଦାର ବିଜୟ,ସଭିଙ୍କ ଦିଲ୍ ଜିତିଲେ ରନ୍ ମେସିନ ବିରାଟ କୋହଲି। ବାଂଲାଦେଶ ବିପକ୍ଷରେ ଚଳିତ ବିଶ୍ୱକପ୍ ରେ ଛକା ମାରି ହାସଲ କଲେ ଦିନିକିଆରେ ୪୮ତମ ଶତକ, ଅନ୍ତର୍ଜାତୀୟ କ୍ରିକେଟରେ ମୋଟ୍ ୭୮ ଛୁଇଁଲା ବିରାଟଙ୍କ ଶତକ ସଂଖ୍ୟା । ୯୭ ବଲରୁ ୧୦୩ ରନର ପାରି ଖେଳିଥିଲେ ସେଥିରେ ସାମିଲ ହୋଇଥିଲା ୬ଚୌକା,୪ଛକା। ଟୁର୍ଣ୍ଣାମେଣ୍ଟର ୧୭ତମ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। କୋହଲିଙ୍କ ଶତକ ସହ ୪ଟି ମ୍ୟାଚରୁ ୪ ବିଜୟ ହାସଲ କରିଛି ରୋହିତ୍ ବାହିନୀ ।
ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି ଶତକ ରାଜା ବିରାଟ କୋହଲି । ଅନ୍ୟପଟେ ବାଂଲାଦେଶ ଚତୁର୍ଥ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଛି । ଅନ୍ତର୍ଜାତୀୟ ସ୍ତରରେ ୨୬ ହଜାର ରନ କରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି ବିରାଟ । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ରହିଥିଲା ୬୦୧ ପାରିରେ ୨୬ହଜାର ରନ୍ କରିଥିଲେ ମାଷ୍ଟ୍ରରବ୍ଲାଷ୍ଟ୍ରର । କିନ୍ତୁ ବିରାଟ ଏହି କାରନାମା ୫୭୭ ପାରିରେ କରି ଦେଖାଇଛନ୍ତି । ୬ବର୍ଷ ପରେ ବିରାଟଙ୍କୁ ବୋଲର ଭୂମିକାରେ ଦେଖିବାକୁ ପାଇଥିଲେ କ୍ରିକେଟ ପ୍ରେମୀ ।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଲିଟନ ଦାସଙ୍କ ସର୍ବାଧିକ ୬୬ ରନ୍ ବଳରେ ୮ ଓ୍ଵିକେଟ୍ ହରାଇ ୨୫୬ ରନ କରିଥିଲା । ଜବାବରେ ବିରାଟ କୋହଲିଙ୍କ ଅପରାଜିତ ୧୦୩ ରନ, ଶୁଭମନ ଗିଲ୍ଙ୍କ ୫୧ ଓ ରୋହିତ ଶର୍ମାଙ୍କ ୪୮,ରାହୁଲଙ୍କ ୩୪ ରନ୍ ବଳରେ ଭାରତ ୪୧.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୫୧ ବଲ୍ ପୂର୍ବରୁ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା,ରବୀନ୍ଦ୍ର ଜାଡ଼େଜା,ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିବାବେଳେ, ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ଓ୍ଵିକେଟ୍ । ଭାରତ ପରବର୍ତ୍ତି ମ୍ୟାଚ୍ ନ୍ୟୁଜିଲାଣ୍ଡକୁ ଭେଟିବ ।