ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ୧୩ ଦିନ ଧରି ଯୁଦ୍ଧ ଲାଗି ରହିଛି । ନିକଟରେ ଇସ୍ରାଏଲ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହାରି ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବାଇଡେନ୍ । ଇସ୍ରାଏଲ ଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ବାଇଡେନ । କହିଛନ୍ତି ଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବା ଆମେରିକା ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ । ହମାସ ଆତଙ୍କ ଓ ପୁଟିନଙ୍କ ଆକ୍ରମଣ ଭିନ୍ନ ବିପଦ ସୃଷ୍ଟି କରୁଛି ବୋଲି ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି । ଉଭୟ ହମାସ ଓ ପୁଟିନ ପଡୋଶୀ ରାଷ୍ଟ୍ରକୁ ଧ୍ବଂସ କରିବାକୁ ଚାହୁଁଛନ୍ତି । ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ଆମେରିକାର ସୁରକ୍ଷା ବୃଦ୍ଧି କରିବ। ଆମେରିକା ସଂସଦ ଇସ୍ରାଏଲ ଓ ୟୁକ୍ରେନ ପାଇଁ ସାମରିକ ସହାୟତାକୁ ମଞ୍ଜରୀ ଦେବାକୁ ବାଇଡେନ ଅନୁରୋଧ କରିଛନ୍ତି ।
ଏହା ମଧ୍ୟ କହିଛନ୍ତି ଯେ ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ। ଅପର ପକ୍ଷରୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଲ ଆଭିଭ ଗସ୍ତରେ ଆସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଇହୁଦି ରାଷ୍ଟ୍ର ଗଠନକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ। ସେ କହିଛନ୍ତି ୩୧ ଆମେରିକୀୟ ସମେତ ୧୩୦୦ରୁ ଅଧିକ ଲୋକଙ୍କ ହତ୍ୟା ପଛରେ ରହିଛି ହମାସ। ସେମାନେ ଆଇଏସଆଇଏସ ପରି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ବାଇଡେନଙ୍କ ଏହି ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା ।